ଗଛ ଉପରେ ସେଲ୍ଫ କ୍ୱାରାଣ୍ଟାଇନ୍‌ରେ ରହିଲେ ବାହାର ରାଜ୍ୟରୁ ଫେରିଥିବା ଶ୍ରମିକ

ପୁରୁଲିଆ,୨୮।୩: ସମସ୍ତଙ୍କୁ ଡରାଉଛି କରୋନା ଭାଇରସର ସଂକ୍ରମଣ। ତେବେ ବିଦେଶରୁ ଫେରିଥିବା ଲୋକେ କ୍ୱାରାଣ୍ଟାଇନ୍‌ରେ ରହିବାକୁ ସରକାର ପରାମର୍ଶ ଦେଇଛନ୍ତି। ଏମିତି କରାଗଲେ ସଂକ୍ରମଣକୁ ରୋକାଯାଇ ପାରିବ ବୋଲି କୁହାଯାଇଛି। ଏବେ ପଶ୍ଚିମବଙ୍ଗ ପୁରୁଲିଆ ବଳରାମପୁର ଅଞ୍ଚଳରେ ଥିବା ଭାଙ୍ଗିଡି ଗ୍ରାମରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମଳିଛି। କିଛିଦିନ ହେବ ଚେନ୍ନାଇରୁ ଫେରିଥିବା କେତେଜଣ ଶ୍ରମିକ ଗାଁରେ ଥିବା ଗଛ ଉପରେ ସେଲ୍ଫ କ୍ୱାରାଣ୍ଟାଇନ୍‌ରେ ୧୪ ଦିନ ପାଇଁ ରହିଥିବା ଦେଖାଯାଇଛି। ଏମାନଙ୍କର ଅଲଗା ଘର ନ ଥିବାରୁ ଓ ଗୋଟିଏ ଘରେ ସମସ୍ତ ପରିବାର ସଦସ୍ୟ ରହୁଥିବାରୁ ସେମାନେ ନିଜକୁ ଗଛ ଉପରେ ସେଲ୍ଫ କ୍ୱାରାଣ୍ଟାଇନ୍‌ରେ ରହିଥିବା ପ୍ରକାଶ କରିଛନ୍ତି। କରୋନା ସଂକ୍ରମଣକୁ ନେଇ ଏମାନେ ସଚେତନ ଥିବା ସ୍ପଷ୍ଟ ବାରିହୋଇ ପଡୁଛି ସତ। ହେଲେ ଏମାନେ ସଂକ୍ରମିତ କି ନା ତାହା ଶୀଘ୍ର ଯାଞ୍ଚ କରିବା ଜରୁରୀ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଭାରତରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ଶହ ପାର କରି ସାରିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବେଳକୁ ବେଳ ବଢିବାରେ ଲାଗିଛି। ଏପରି ସ୍ଥଳେ ନିଜେ ସଚେତନ ନ ହେଲେ କରୋନାକୁ ଜୟ କରିବା ଅସମ୍ଭବ ବୋଲି କୁହାଯାଉଛି।

Share