ଗଛରେ ପାଚୁଛି ବାଇଗଣ, ମାଟିରେ ପୋତୁଛି ଚାଷୀ

ବେଗୁନିଆପଡା,୧୧ା୪(ଡି.ଏନ.ଏ.)- ବେଗୁନିଆପଡା ବ୍ଲକର ସୁମଣ୍ଡଳ, ବେଗୁନିଆପଡ଼ା ଓ ଖଲ୍ଲିକୋଟ ବ୍ଲକର କଞ୍ଚଣା ଓ ପୁସ୍ତପୁର ଗ୍ରାମରେ ପ୍ରଚୁର ବାଇଗଣ ଚାଷ ହୋଇଥାଏ। ଲକ୍‌ଡାଉନ ଯୋଗୁ ବହୁ ଚାଷୀ ବିକ୍ରି ହେଉ ନ ଥିବାରୁ ଏହାକୁ ତୋଳୁ ନାହାନ୍ତି। ବେଗୁନିଆପଡ଼ା ସ୍ଥିତ ଗେଞ୍ଜାରାପଲ୍ଲୀର ବାଇଗଣ ଚାଷୀ ଏ. ସିରଜୁଲୁ ଦୋରାଙ୍କ ଜମିରେ ବାଇଗଣ ପାଚି ଯାଇଥିଲେ ସୁଦ୍ଧା ବେପାରୀ କେହି କିଣିବାକୁ ଆସୁନାହାନ୍ତି। ଫଳରେ ସେ ମାଟି ଖୋଳି ପାଚିଲା ବାଇଗଣକୁ ପୋତିବାକୁ ବାଧ୍ୟ ହେଉଛନ୍ତି ବୋଲି କହିଛନ୍ତି। ସେପଟେ ବାଇଗଣ ଚାଷ ପାଇଁ ରାଜ୍ୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ସୁମଣ୍ଡଳ ଓ ଭାଲିଆଝର ଗ୍ରାମର ଚାଷୀ ମଧ୍ୟ ଅଭାବୀ ବିକ୍ରି ଯୋଗୁ ଚିନ୍ତାରେ। ଗତବର୍ଷ ବସ୍ତା ୧୫୦୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଏବେ ବସ୍ତାକୁ ୬୦ରୁ ୧୦୦ ଟଙ୍କା ବା ଅତି ବେଶୀରେ ୧୨୦ ଟଙ୍କାରେ ଦେଲେବି ବିକ୍ରି ହେଉନାହିଁ। ଏହି ବ୍ଲକରେ ୧୦୦୦ ହେକ୍ଟରରୁ ଅଧିକ ଜମିରେ ବାଇଗଣ ଚାଷ ଓ ୫୦୦ ହେକ୍ଟରରୁ ଅଧିକ ଜମିରେ ପରିବା ଚାଷ ହେଉଥିବାବେଳେ ବର୍ତ୍ତମାନ ଅଭାବୀ ବିକ୍ରି ଯୋଗୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି।