Categories: ଗଞ୍ଜାମ

ଗଁ। ରେ ମଦ ବନ୍ଦ କରିବା ଘଟଣା : ମହିଳାଙ୍କୁ ଅବକାରୀ କର୍ମଚାରୀଙ୍କ ଧମକ ଅଭିଯୋଗ

ହାତୀଓଟ,୧ା୮-ପୋଲସରା ବ୍ଲକ ଜକର ପଞ୍ଚାୟତ ଜକର ଗ୍ରାମର ୨୭ ସ୍ବୟଂ ସହାୟିକା ଗୋଷ୍ଠୀ ଓ ଗ୍ରାମବାସୀ ମିଶି ଗ୍ରାମରେ ମଦ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଗତ ୯ ତାରିଖରେ ଗୋପୀନାଥ ମନ୍ଦିର ପରିସରରେ ଗ୍ରାମସଭା କରିଥିଲେ। ପରେ ଏ ନେଇ କବିସୂର୍ଯ୍ୟନଗର ଥାନା ଅଧିକାରୀ, ଜିଲାପାଳ, ପୋଲସରା ବିଧାୟକଙ୍କୁ ଅବଗତ କରିବା ସହ କବିସୂର୍ଯ୍ୟନଗର ଅବକାରୀ ବିଭାଗ କାର୍ଯ୍ୟାଳୟରେ ଜଣାଇଥିଲେ। ୧୭ ତାରିଖରେ ଉକ୍ତ ଅଫିସ୍‌ରେ ସବ୍‌ ଇନ୍ସପେକ୍ଟର୍‌ ଗୀତାଞ୍ଜଳି ସାହୁଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ମାତ୍ର ୨୯ ତାରିଖରେ କବିସୂର୍ଯ୍ୟନଗର ଦାୟିତ୍ୱରେ ଥିବା ପୁରୁଷୋତ୍ତମପୁର ଅବକାରୀ ବିଭାଗର ଇନ୍ସପେକ୍ଟର୍‌୍‌ଙ୍କ ସହ ୫ କର୍ମଚାରୀ ଗ୍ରାମର ବନିତା ମହାନ୍ତିିଙ୍କ ଘରକୁ ତଦନ୍ତ କରିବା ପାଇଁ ଆସି ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏହା ପ୍ରତିବାଦରେ ବୁଧବାର ଅପରାହ୍ନରେ ଗ୍ରାମର ଗୋପୀନାଥ ମନ୍ଦିର ପ୍ରାଙ୍ଗଣରେ ଗ୍ରାମବାସୀଙ୍କ ସହ ୨୭ ମହିଳା ସ୍ବୟଂ ସହାୟିକା ସଦସ୍ୟା ଏକତ୍ରିତ ହୋଇଥିଲେ। ଅବକାରୀ ବିଭାଗ କର୍ମଚାରୀଙ୍କ ଏପରି ବ୍ୟବହାରକୁ ନିନ୍ଦା କରିବା ସହ ଘଟଣାର ତଦନ୍ତ କରିବାକୁ ଜିଦ ଧରିଥିଲେ। ଗାଁରେ ମଦ ବନ୍ଦ ନିଷ୍ପତ୍ତି ଗ୍ରାମବାସୀଙ୍କ ସହ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ମିଶି କରିଥିଲେ। କେବଳ ଜଣେ ମହିଳା କରିନଥିଲେ ବୋଲି ସେମାନେ ଅଭିଯୋଗ କରିଥିଲେ। ଖବରପାଇ ବାଲିଛାଇ ଫାଣ୍ଡି ଅଧିକାରୀ ଉମାଚରଣ ପ୍ରହରାଜ ଜକର ଗ୍ରାମକୁ ଆସି ଗ୍ରାମବାସୀ ଓ ମହିଳାମାନଙ୍କୁ ବୁଝାଶୁଝା କରିବା ପରେ ଉତ୍ତେଜିତ ଲୋକେ ଶାନ୍ତ ପଡିଥିଲେ।
ଏ ନେଇ କବିସୂର୍ଯ୍ୟନଗର ଅବକାରୀ ବିଭାଗର ସବ୍‌ ଇନ୍ସପେକ୍ଟର ସାହୁଙ୍କୁ ପଚାରବାରୁ ସୁପରିଣ୍ଟେଣ୍ଡେଣ୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ଇନ୍ସପେକ୍ଟରଙ୍କ ସହ କର୍ମଚାରୀ ମାନେ ତଦନ୍ତ କରିବା ପାଇଁ ଜକର ଗ୍ରାମକୁ ଯାଇଥିଲେ ବୋଲି କହିଥିଲେ। ବନିତାଙ୍କୁ ଧମକ ଦିଆଯିବା ଘଟଣାକୁ ସେ ଅସ୍ବୀକାର କରିଥିଲେ।