Categories: ଖେଳ

ଖ୍ରୀଷ୍ଟଚର୍ଚ୍ଚ ଟେଷ୍ଟ: ଭଲ ସ୍ଥିତିରେ ନ୍ୟୁଜିଲାଣ୍ଡ

ଖ୍ରୀଷ୍ଟଚର୍ଚ୍ଚ,୨୯ା୨- ସ୍ଥାନୀୟ ହେଗଲେ ଓଭାଲ ଗ୍ରାଉଣ୍ଡରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଶନିବାର ଦ୍ୱିତୀୟ ଟେଷ୍ଟ ଆରମ୍ଭ ହୋଇଯାଇଛି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ପ୍ରଥମ ଇନିଂସରେ ୨୪୨ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଏକଦା ଭାରତୀୟ ଦଳ ୪ ଉଇକେଟ ହରାଇ ୧୯୪ ରନ୍‌ କରି ବଡ଼ ସ୍କୋର ଆଡ଼େ ମୁହଁାଇଥିଲା। କିନ୍ତୁ ହନୁମା ବିହାରୀ (୫୫) ଆଉଟ୍‌ ହେବା ପରେ କୌଣସି ବ୍ୟାଟ୍ସମ୍ୟାନ କ୍ରିଜ୍‌ରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ। ବିହାରୀଙ୍କ ବ୍ୟତୀତ ପୃଥ୍ବୀ ଶ (୫୪) ଓ ଚେତେଶ୍ୱର ପୂଜାରା (୫୪) ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଅନ୍ୟପକ୍ଷରେ ମୟଙ୍କ ଅଗ୍ରଓ୍ବାଲ, ଅଧିନାୟକ ବିରାଟ କୋହଲି, ଉପଅଧିନାୟକ ଅଜିଙ୍କ୍ୟ ରାହାନେ ଓ ଉଇକେଟକିପର ରିଷବ ପନ୍ତ ବିଫଳ ହୋଇଥିଲେ। ଘରୋଇ ନ୍ୟୁଜିଲାଣ୍ଡ ପାଇଁ କାଇଲ ଜେମିସନ ୫ ଉଇକେଟ ନେଇଥିବାବେଳେ ଟ୍ରେଣ୍ଟ ବୋଲ୍ଟ ଓ ଟିମ ସୌଦି ୨ ଲେଖାଏ ଉଇକେଟ ହାତେଇଥିଲେ। ଏହାପରେ ନ୍ୟୁଜିଲାଣ୍ଡ ଦଳର ଦୁଇ ଓପନର ଟମ ଲଥାମ ଓ ଟମ ବ୍ଲୁଣ୍ଡେଲଙ୍କ ଓପନିଂ ଯୋଡ଼ି ଦିବସ ଶେଷ ପର୍ଯ୍ୟନ୍ତ ଖେଳି ୨୩ ଓଭରରେ ୬୩ ରନ୍‌ କରିଥିଲେ। ଷ୍ଟମ୍ପ ଅପସାରଣ ବେଳକୁ ଲଥାମ ୨୭ ଓ ବ୍ଲୁଣ୍ଡେଲ ୨୯ ରନ୍‌ କରି ଅପରାଜିତ ଥିଲେ। ଦଳ ହାତରେ ୧୦ ଉଇକେଟ ଥିବାବେଳେ ଇନିଂସ ଅଗ୍ରଣୀ ଲାଗି ୧୭୯ ରନ୍‌ ଦରକାର।

Share