ଖୋଲିବନି କି ଜଗନ୍ନାଥ ମନ୍ଦିର

ନୂଆଦିଲ୍ଲୀ,୮ା୬: ପଞ୍ଚମ ପର୍ଯ୍ୟାୟ ଲକ୍‌ଡାଉନରେ ଜୁନ୍‌ ୮ ଅର୍ଥାତ୍‌ ସୋମବାରଠାରୁ ଦେଶରେ ବିଭିନ୍ନ ଧାର୍ମିକ ତଥା ଉପାସନା ସ୍ଥଳ ଖୋଲିବାକୁ ଯାଉଛି। ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ରକ୍ଷଣାବେକ୍ଷଣରେ ଥିବା ୮୨୦ ସ୍ମାରକୀକୁ ଖୋଲିବା ଲାଗି ରବିବାର କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅନୁମୋଦନ କରିଛି। ତେବେ ଏଏସ୍‌ଆଇ ସଂରକ୍ଷିତ ଓଡ଼ିଶାର କୌଣସି କୀର୍ତ୍ତିରାଜି କିମ୍ବା ମନ୍ଦିର ସୋମବାର ସର୍ବସାଧାରଣଙ୍କ ପାଇଁ ଖୋଲିବ ନାହିଁ। ଏଏସ୍‌ଆଇ ଭୁବନେଶ୍ୱର ସର୍କଲ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନ ଏବଂ ନିର୍ଦ୍ଦେଶକୁ ଏଏସ୍‌ଆଇ ଅନୁକରଣ କରିବ। ତେଣୁ ଜୁନ୍‌ ୩୦ ପୂର୍ବରୁ ରାଜ୍ୟରେ ଏଏସ୍‌ଆଇ ସଂରକ୍ଷିତ କୌଣସି ଧର୍ମାନୁଷ୍ଠାନ ଖୋଲିବ ନାହିଁ ବୋଲି କୁହାଯାଇଛି। ସେହି ଅନୁଯାୟୀ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର, କୋଣାର୍କ ସୂର୍ଯ୍ୟମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ, ରାଜାରାଣୀ, ମୁକ୍ତେଶ୍ୱର ସମେତ ଏଏସ୍‌ଆଇ ସଂରକ୍ଷିତ ରାଜ୍ୟର କୌଣସି ମନ୍ଦିର ଖୋଲିବ ନାହିଁ। ସେହିପରି ରାଜ୍ୟ ସରକାରଙ୍କ ସଂରକ୍ଷଣରେ ଥିବା କୌଣସି ଧର୍ମାନୁଷ୍ଠାନ କିମ୍ବା କୀର୍ତ୍ତିରାଜି ନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ କହିଛନ୍ତି।
ଦେଶର ଯେଉଁସବୁ ସ୍ଥାନରେ ଧାର୍ମିକ ସ୍ଥଳ ଖୋଲିବ ସେଠାରେ ସାମାଜିକ ଦୂରତ୍ୱ ଯେପରି ବଜାୟ ରହେ ତାହା ଉପରେ ନଜର ରଖିବାକୁ ମନ୍ଦିର ପ୍ରଶାସନଗୁଡ଼ିକୁ କୁହାଯାଇଛି। ସେହି ଅନୁଯାୟୀ ଭକ୍ତମାନେ ମୂର୍ତ୍ତି କିମ୍ବା ପବିତ୍ର ଗ୍ରନ୍ଥ ଆଦିକୁ ଛୁଇଁପାରିବେ ନାହିଁ, ଭୋଗ ଲଗାଇପାରିବେ ନାହିଁ। ଶ୍ରଦ୍ଧାଳୁ ସେମାନଙ୍କ ଜୋତା ଗାଡ଼ିରେ ରଖି ଆସିବାକୁ କୁହାଯାଇଛି। ଏଏସ୍‌ଆଇ ଅଧୀନରେ ୩,୬୯୧ ସ୍ମାରକୀ ରହିଥିବାବେଳେ କେବଳ ଧର୍ମୀୟ ସ୍ମାରକୀକୁ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସେଗୁଡ଼ିକ ମାର୍ଚ୍ଚ ୧୭ରୁ ବନ୍ଦ ରହିଥିଲା।

Share