ଖୋର୍ଦ୍ଧା: ୩୧୭୨ ଲୋକ ପ୍ରଭାବିତ

ଖୋର୍ଦ୍ଧା ଅଫିସ,୨୧।୫: ଅମ୍ଫନ୍‌ ପ୍ରଭାବରେ ଖୋର୍ଦ୍ଧା ଜିଲାରେ ବୁଧବାର ସକାଳଠାରୁ ଅପରାହ୍ନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଓ ପବନ ଲାଗିରହିଥିଲା। ଜିଲାରେ ୩୪.୯୪ ମି.ମି. ବର୍ଷା ରେକର୍ଡ କରାଯାଇଛି। ବାଲିଅନ୍ତାରେ ସର୍ବାଧିକ ୫୭ ଓ ବାଣପୁରରେ ସର୍ବନିମ୍ନ ୧୫ ମି.ମି ବର୍ଷା ହୋଇଛି। ୫ବ୍ଲକ ବାଲିଅନ୍ତା, ବାଲିପାଟଣା, ଭୁବନେଶ୍ୱର, ଚିଲିକା ଓ ଜଟଣୀର ୩୬ଟି ପଞ୍ଚାୟତ, ୬୨ଟି ଗାଁ ସମେତ ବାଣପୁର ଓ ବାଲୁଗାଁ ଏନ୍‌ଏସିର ୮ଟି ୱାର୍ଡରେ ମୋଟ ୩୧୭୨ ଲୋକ ପ୍ରଭାବିତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୨୩୨୧ ପୁରୁଷ ଓ ୮୫୧ ଶିଶୁ ରହିଛନ୍ତି। ୧୦୩ ବାତ୍ୟା ଆଶ୍ରୟସ୍ଥଳରେ ଏମାନଙ୍କୁ ରଖାଯାଇଛି। ବାତ୍ୟାରେ କେହି ମୃତାହତ ହୋଇ ନ ଥିବା ଜିଲା ପ୍ରଶାସନ ସୂଚନା ଦେଇଛି। ଜିଲାରେ ୩୮ ହେକ୍ଟର ଜମିରେ ଧାନ ଚାଷ, ୨୦ ହେକ୍ଟର ଆଖୁ ଚାଷ, ୮ ହେକ୍ଟର ଜମିରେ ନଡ଼ିଆ ଗଛ ନଷ୍ଟ ହୋଇଛି। ୪୦ଟି ଚାଳଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ବାତ୍ୟା ଆଶ୍ରୟସ୍ଥଳରେ ୭୩୧ କୁଇଣ୍ଟାଲ ଚାଉଳ, ୧୦୩୯ କୁଇଣ୍ଟାଲ ଲେଖାଏ ଚୁଡ଼ା ଓ ଗୁଡ଼ ଏବଂ ୯୬୫ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି। ବାତ୍ୟା ମୁକାବିଲା ଲାଗି ଜିଲାରେ ୨୧ଟି ମେଡିକାଲ ଟିମ୍‌, ୧୦ଟି ପ୍ରାଣୀଧନ ସ୍ବାସ୍ଥ୍ୟ ଟିମ, ୨ଟି ଓଡ୍ରାଫ ଟିମ୍‌ ନିୟୋଜିତ ଥିବା ଅତିରିକ୍ତ ଜିଲାପାଳ ମନୋଜ ପାଢୀ କହିଛନ୍ତି।