Categories: ମେଟ୍ରୋ

ଖୋର୍ଦ୍ଧାରେ ପଥର ଚାଲାଣ ମାମଲା : ୬ଜଣଙ୍କୁ ଧରିବା ପାଇଁ ରାଜ୍ୟ ବାହାରକୁ ଗଲା ଏସ୍‌ଟିଏଫ୍‌

ଭୁବନେଶ୍ୱର,୧୯।୮(ବ୍ୟୁରୋ) : ଖୋର୍ଦ୍ଧା ପଥର ଚାଲାଣ ର଼୍ୟାକେଟରେ ସମ୍ପୃକ୍ତ ଥିବା ମୁଖ୍ୟ ୬ଜଣ ମାଫିଆଙ୍କୁ ଗିରଫ କରିବା ପାଇଁ ଏସ୍‌ଟିଏଫ୍‌ ଜାଲ ବିଛାଇଛି। ଏହି ୬ଜଣଙ୍କ ମଧ୍ୟରେ ରହିଛନ୍ତି ଜଣେ ଲେଡି ଡନ୍‌। ତାଙ୍କ ସମେତ ଅନ୍ୟ ୫ଜଣ ଗିରଫ ଭୟରେ ରାଜ୍ୟ ବାହାରକୁ ଚାଲିଯାଇ ଲୁଚିଥିବା ଏସ୍‌ଟିଏଫ୍‌ ସୂଚନା ପାଇଛି। ସେମାନଙ୍କୁ ଧରିବା ପାଇଁ ଏସ୍‌ଟିଏଫ୍‌ର ଏକ ୫ଜଣିଆ ଟିମ୍‌ ରାଜ୍ୟ ବାହାରକୁ ଯାଇଛି। ଏହି ଟିମ୍‌ ଭିନ୍ନ ଭିନ୍ନ ରାଜ୍ୟକୁ ଗସ୍ତ କରିଥିବା ଜଣାପଡ଼ିଛି। ଲେଡି ଡନ୍‌ଙ୍କୁ ଏସ୍‌ଟିଏଫ୍‌ ଅଧିକ ଗୁରୁତ୍ୱ ଦେଉଛି। କାରଣ ଖୋର୍ଦ୍ଧାରେ ସେ ସମସ୍ତ ଗ୍ୟାଙ୍ଗ୍‌କୁ ଚଳାଉଥିଲେ। କୁହାଯାଉଛି ଯେ, ଏହି ଲେଡି ଡନଙ୍କ ହାତରେ ଅନେକ ନେତା ରହିଥିଲେ। ସେମାନେ ଲେଡି ଡନ୍‌ଙ୍କୁ ସୁରକ୍ଷା ଦେଇ ମୋଟାରକମର ପାଉଣା ପାଉଥିଲେ। ଅନ୍ୟପକ୍ଷରେ କୋଲକାତାରୁ ଗିରଫ ହୋଇଥିବା କୈଳାସ ଚନ୍ଦ୍ର ପରିଜା ଆସନ୍ତା ୨୨ ତାରିଖରେ ଖୋର୍ଦ୍ଧା କୋର୍ଟରେ ହାଜର ହେବେ। ତାଙ୍କୁ ଏସ୍‌ଟିଏଫ୍‌ ରିମାଣ୍ଡରେ ଆଣି ପଚରାଉଚରା କରିବ।
ସେହିଭଳି ଖୋର୍ଦ୍ଧାରେ ଜଗନ୍ନାଥଙ୍କ ଜାଗାକୁ ଖୋଳି ମାଫିଆମାନେ ପଥର ଚଲାଣ କରିଛନ୍ତି। ଏ ନେଇ ଶନିବାର ଏସ୍‌ଟିଏଫ୍‌ ଖୋର୍ଦ୍ଧା ସଦର ଥାନା ଅଧିକାରୀ ବିକ୍ରମ କେଶରୀ ଜେନା ଏବଂ ତହସିଲଦାର ଶୁଭେନ୍ଦ୍ର ସାମଲଙ୍କୁ ପଚରାଉଚରା କରିଥିଲା। ସେମାନଙ୍କ ଉତ୍ତରରେ ଏସ୍‌ଟିଏଫ୍‌ର ଅଧିକାରୀମାନେ ସନ୍ତୁଷ୍ଟ ହୋଇ ନ ଥିବା କୁହାଯାଉଛି। ତେଣୁ ଉଭୟଙ୍କୁ ପୁଣି ଆସନ୍ତା ୨୧ରେ ହାଜର ହେବାକୁ ନୋଟିସ ଦିଆଯିବା ସହ କେତେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଆଣିବାକୁ କୁହାଯାଇଛି।