ଖାଇ ସାରି ଥାଳି ଧୋଉଥିଲେ ହାଇଓ୍ବା ଚାଳକ, ପଛକୁ ବ୍ୟାକ୍‌ କରୁଥିବା ଡିଜେଲ୍‌ ଟ୍ୟାଙ୍କର ଚାପିଦେଲା

ଲଖନପୁର,୧।୫(ଡି.ଏନ୍‌.ଏ.)-ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ୍‌(ଏମ୍‌ସିଏଲ୍‌)ଲଖନପୁର ଖୋଲାମୁହଁ କୋଇଲାଖଣିରେ ଦୁର୍ଘଟଣା ଘଟିଛି। ଗୁରୁବାର ରାତି ୭ଟାରେ ଏକ ଡିଜେଲ୍‌ ଟ୍ୟାଙ୍କର ଚାପାରେ ଜଣେ ଠିକା ଶ୍ରମିକଙ୍କ ମୃତ୍ୟ ଘଟିଛି। ମୃତ ଠିକାଶ୍ରମିକ ଜଣଙ୍କ ହେଲେ ଉତ୍ତରପ୍ରଦେଶ ସ୍ବର୍ଣ୍ଣଭଦ୍ରା ଜିଲାର ମୋହନ(୩୮)। ସେ ଭିପିଆର୍‌ ନାମକ ଠିକାସଂସ୍ଥାରେ ହାଇଓ୍ବା ଚାଳକ ଭାବେ କାର୍ଯ୍ୟ କରୁଥିଲେ। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଠିକାସଂସ୍ଥାର ଶତାଧିକ ଶ୍ରମିକ ପହଞ୍ଚି ଥିଲେ। କ୍ଷତିପୂରଣ ଦାବିରେ ଏମାନେ କାର୍ଯ୍ୟ ବନ୍ଦ କରି ଧାରଣାରେ ବସିଥିଲେ। ଖବରପାଇଁ ବ୍ରଜରାଜନଗର ଏସ୍‌ଡିପିଓ ଦୀଲିପ ଦାସ ଓ ଲଖନପୁର ଆଇଆଇସି ବିବି ସେଠ୍‌ ପ୍ରମୁଖ ଅଧିକାରୀମାନେ ପହଞ୍ଚତ୍ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ପରେ ଲଖନପୁର ଖଣି ପ୍ରକଳ୍ପ ଅଧିକାରୀ ଅରୁଣ କୁମାର ସ୍ବର୍ଣ୍ଣକାର,ଏପିଏମ୍‌ ସଞ୍ଜୀବ ଭରଦ୍ୱାଜ ଓ ଭିପିଆର୍‌ ଠିକାସଂସ୍ଥାର ଅଧିକାରୀମାନେ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ। ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ଠିକାସଂସ୍ଥା ୧୫ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବ। ମୃତଦେହକୁ ଉତ୍ତରପ୍ରଦେଶ ପଠାଇବ। ଏହା ସହିତ ଠିକାସଂସ୍ଥାରେ ମୃତକଙ୍କ ପରିବାରର ଜଣଙ୍କୁ ନିଯୁକ୍ତି ଦେବ ବୋଲି କହିବା ପରେ ରାତି ସାଢେ ୧୧ଟାରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଲଖନପୁର ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦପାଇଁ ଝାରସୁଗୁଡା ପଠାଇଛି। ଏ ନେଇ ଲଖନପୁର ଥାନାରେ ଏକ ମାମଲା ରୁଜୁ ହୋଇଛି ା ପୋଲିସ ଉକ୍ତ ଟ୍ୟାଙ୍କରକୁ ଜବତ କରିଛି। ସୂଚନା ଯୋଗ୍ୟ ଯେ ମୃତ ହାଇଓ୍ବା ଚାଳକ ମୋହନ ଗୁରୁବାର ରାତି ୭ଟାରେ ମେଶ୍‌ରେ ଖାଇସାରି ବାହାରେ ଥାଳି ଧୋଉଥିଲେ। ଏହି ସମୟରେ ମେଶ୍‌ ନିକଟରେ ଛିଡା ହୋଇଥିବା ଡିଜେଲ୍‌ ଟ୍ୟାଙ୍କର ପଛକୁ ଗଡିଆସିଥିଲା। ଏହା ଦେଖି ମେଶ୍‌ ନିକଟରେ ଛିଡା ହୋଇଥିବା ସହଯୋଗୀ ଶ୍ରମିକମାନେ ପାଟି ପରିଥିଲେ। ହେଲେ ମୋହନଙ୍କ ଉପରେ ଟ୍ୟାଙ୍କର ଚଢି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।