ଖାଇବାକୁ ମିଳୁନି, ଋଣ ଅସୁଲ ପାଇଁ ବଢୁଛି ଚାପ : ବିଧାୟକଙ୍କୁ ଅଭିଯୋଗ କଲେ ଏସଏଚ୍‌ଜି ମହିଳା

ସଜନାଗଡ଼, ୧୩।୬(ଡି.ଏନ.ଏ.)-ସରକାର ବିଭିନ୍ନ ଫାଇନାନ୍ସ କମ୍ପାନୀଗୁଡ଼ିକ ଋଣ ଅସୁଲ କରିବା ଉପରେ ରୋକ ଲଗାଇଛନ୍ତି। ହେଲେ ମାଇକ୍ରୋଫାଇନାନ୍ସ କମ୍ପାନୀଗୁଡ଼ିକ ନିର୍ଦ୍ଦେଶ ପାଳନ ନ କରି ଏସ୍‌ଏଚ୍‌ଜି ଉପରେ ଋଣ ଅସୁଲ ପାଇଁ ଚାପ ପକାଉଛି। ଟଙ୍କା ଦେବାକୁ ଅସମର୍ଥ ଥିବା ଜଣାଇଲେ ମଧ୍ୟ କମ୍ପାନୀ ଏହାକୁ ବୁଝିବାକୁ ନାରାଜ। ଲକ୍‌ଡାଉନ୍‌ ପାଇଁ ରୋଜଗାର ବନ୍ଦ ହୋଇପଡ଼ିଛି। ପରିବାର ଚଳାଇବା କଷ୍ଟସାଧ୍ୟ ହୋଇପଡ଼ିଲାଣି। ଶୁକ୍ରବାର ଏନେଇ ବାଲେଶ୍ୱର ଜିଲା ନୀଳଗିରି ଗରଡ଼ି ଅଞ୍ଚଳର ମହିଳାମାନେ ଏକାଠି ହୋଇ ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକଙ୍କଠାରେ ଅଭିଯୋଗ କରି ଦାବିପତ୍ର ପ୍ରଦାନ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଋଣ ଦେବା ସମୟରେ ଫାଇନାନ୍ସ କମ୍ପାନୀ ଆଦର ସମ୍ମାନରେ ମହିଳାଙ୍କୁ ଋଣ ଦେଇଥିଲେ। ମହିଳାମାନେ ଉକ୍ତ ଟଙ୍କାକୁ ନେଇ ବ୍ୟବସାୟରେ ଲଗାଇଥିଲେ। କରୋନା ପାଇଁ ଲକ୍‌ଡାଉନ କଟକଣା ଯୋଗୁ ବ୍ୟବସାୟ ବନ୍ଦ ହୋଇଯାଇଛି। ଫଳରେ ଆୟ ହୋଇପାରୁନାହଁି। ହେଲେ କମ୍ପାନୀ କର୍ମଚାରୀମାନଙ୍କୁ ଏ ବିଷୟରେ ବୁଝାଇଲେ ବି ବୁଝୁନାହାନ୍ତି। ଟଙ୍କା ଅସୁଲ କରିବା ପାଇଁ ଜିଦ୍‌ ଧରି ବସିଛନ୍ତି। ସେମାନଙ୍କୁ ଲକ୍‌ଡାଉନ୍‌ ଖୋଲିବା ପର୍ଯ୍ୟନ୍ତ ସମୟ ମାଗିଲେ ମଧ୍ୟ ଶୁଣୁନାହାନ୍ତି। ତେଣୁ ଏ ଦିଗରେ ସ୍ଥାନୀୟ ବିଧାୟକଙ୍କ ମାଧ୍ୟମରେ ପ୍ରଶାସନକୁ ହସ୍ତକ୍ଷେପ କରି କମ୍ପାନୀଗୁଡ଼ିକର ଋଣ ଅସୁଲ ବନ୍ଦ କରିବା ଏବଂ ସୁଧ ଛାଡ଼ ପାଇଁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ମହିଳାମାନେ ଦାବି କରିଛନ୍ତି। ବିଧାୟକ କେତେଜଣ ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କ ସହ ଫୋନ୍‌ ଯୋଗେ କଥା ହେବା ପରେ ଆସନ୍ତା ମଙ୍ଗଳବାର ଏନେଇ ଫାଇନାନ୍ସ କମ୍ପାନୀ ଓ ଏସ୍‌ଏଚ୍‌ଜିଙ୍କ ମଧ୍ୟରେ ଆଲୋଚନା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଦାବିପତ୍ର ଦେବା ସମୟରେ ଏସ୍‌ଏଚ୍‌ଜିର ଭଗବତୀ ମହାନ୍ତି, ସବିତା ସେଠୀ, ଧରିତ୍ରୀ ଦାସ ମହାପାତ୍ର, ଭାରତୀୟ ବାରିକ ଓ ପ୍ରଭାତି ମହାପାତ୍ର ପ୍ରମୁଖ ମହିଳା ଉପସ୍ଥିତ ଥିଲେ।

୧-ବାଲେଶ୍ୱର-ଶୁକ୍ରବାର-
ଏସ୍‌ଏଚ୍‌ଜି ମହିଳାଙ୍କ ସହ ବିଧାୟକ ଆଲୋଚନା କରୁଛନ୍ତି।