Categories: ବାଣିଜ୍ୟ

ଖସିପାରିବେନି ଟିକସ ଖିଲାପୀ;ଜରିମାନା ଦେଲେ ମଧ୍ୟ ଯିବେ ଜେଲ୍‌

ନୂଆଦିଲ୍ଲୀ,୧୮-୬: କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର କଳାଧନ ବିରୋଧରେ ସଂଗ୍ରାମ ଜାରି ରଖିଛନ୍ତି। ଏବେ ଏହି ଦିଗରେ ଆଉ ଏକ ପଦକ୍ଷେପ ଗ୍ରହଣ କରାଯାଇଛି। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ପକ୍ଷରୁ ଟିକସ ଖିଲାପୀଙ୍କ ଲାଗି ଆଉ ଏକ ନୂଆ ନିୟମ ଜାରି କରାଯାଇଛି। ସୋମବାରଠାରୁ ଏହି ନିୟମ ଲାଗୁ ହୋଇଛି। ତଦନୁଯାୟୀ, ମନି ଲଣ୍ଡରିଂ, ଆତଙ୍କବାଦ ଲାଗି ଆର୍ଥିକ ସହାୟତା, ଦୁର୍ନୀତି, ବେନାମୀ ସମ୍ପତ୍ତି ରଖିବା ଅଥବା ବିଦେଶରେ ଅଘୋଷିତ ସମ୍ପତ୍ତି ରଖିତ୍ବା ଭଳି ଗମ୍ଭୀର ମାମଲାରେ କୌଣସି ବ୍ୟକ୍ତି ଟିକସ ଫାଙ୍କିଥିବା ଅଭିଯୋଗରେ କେବଳ ଜରିମାନା ଦେଇ ଖସି ଯାଇପାରିବେ ନାହିଁ। ନିୟମ ଅନୁଯାୟୀ ଅଦାଲତ ବାହାରେ କୌଣସି ସାଲିସ୍‌ ହେବ ନାହିଁ।
ସେମାନଙ୍କ ବିରୋଧରେ ମକଦ୍ଦମା ଚାଲିବ ଏବଂ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଦୋଷୀ ସାବ୍ୟସ୍ତ ହେଲେ ଜେଲ୍‌ ମଧ୍ୟ ଯିବାକୁ ହେବ। ସିବିଡିଟି ପକ୍ଷରୁ ଜାରି ନିର୍ଦ୍ଦେଶାବଳୀ ଅନୁଯାୟୀ, କଳାଧନ ଏବଂ ବେନାମୀ ଆଇନ ଅଧୀନରେ ଅଧିକାଂଶ ଅପରାଧ ନନ୍‌ କମ୍ପାଉଣ୍ଡେବଲ୍‌ ହେବ। ଅର୍ଥାତ୍‌ କେବଳ ଭାରି ଜରିମାନା ଦେଇ କୌଣସି ଦୋଷୀ ବ୍ୟକ୍ତି ରକ୍ଷା ପାଇବେ ନାହିଁ। ଏଣିକି କୌଣସି ଟିକସ ଫାଙ୍କିଥିବା ବ୍ୟକ୍ତିବିଶେଷ ଅଥବା ସଂସ୍ଥା କେବଳ ଟିକସ, ଜରିମାନା ଏବଂ ସୁଧ ଗଣି ଖସିପାରିବେ ନାହିଁ। ଏ ସମ୍ପର୍କରେ ସିବିଡିଟି ୧୩ ପ୍ରକାର ମାମଲାର ଏକ ତାଲିକା ଜାରି କରିଛି। ଅପରାଧକୁ ଏହାର ଗମ୍ଭୀରତା ହିସାବରେ ଦୁଇଟି ଶ୍ରେଣୀ ଶ୍ରେଣୀ-ଏ ଓ ଶ୍ରେଣୀ-ବିରେ ବଣ୍ଟାଯାଇଛି। ଶ୍ରେଣୀ-ଏ ଅଧୀନରେ ଆସୁଥିବା ଅପରାଧକୁ କୋର୍ଟ ବାହାରେ ସାଲିସ କରି ସମାଧାନ କରାଯାଇପାରିବ। ଏହି ଶ୍ରେଣୀରେ ସ୍ରୋତ ଉପରେ ଟିକସ ଦେବା ଅଥବା କମ୍‌ କଟାଯାଇଥିବା ମାମଲା ଓ ଧାରା ୧୧୫-ଓ ଅଧୀନରେ ପ୍ରଦାନ କରାଯାଇଥିବା ଟିକସ ସହ ସମ୍ପର୍କିତ ମାମଲାକୁ ଧରାଯିବ। ତେବେ କୌଣସି ବ୍ୟକ୍ତିଙ୍କୁ ଏହି ଶ୍ରେଣୀରେ ୩ ଥର ଦୋଷୀ ସାବ୍ୟସ୍ତ କରାଯାଇଥିଲେ, ତେବେ ତାଙ୍କୁ ରକ୍ଷା ପାଇବା ଲାଗି ଆଉ ସୁଯୋଗ ଦିଆଯିବ ନାହିଁ।
ଏହାଛଡା ତାଙ୍କୁ କୋର୍ଟ ବାହାରେ ସାଲିସ କରିବାକୁ ଅନୁମତି ଦିଆଯିବ ନାହିଁ। ସେହିପରି ଶ୍ରେଣୀ-ବି ଅଧୀନରେ ଜାଣିଶୁଣି ଟିକସ ଫାଙ୍କିବାର ପ୍ରୟାସ, ଖାତା ଏବଂ ଅନ୍ୟ ଆର୍ଥିକ ଦସ୍ତାବେଜ ଉପସ୍ଥାପନ ନ କରିବା ତଥା ଯାଞ୍ଚ ବେଳେ ଭୁଲ୍‌ ବୟାନ ଦେବା ମାମଲାଗୁଡିକୁ ସାମିଲ କରାଯାଇଛି। ଏଭଳି ମାମଲାଗୁଡ଼ିକୁ କୋର୍ଟ ବାହାରେ ସମାଧାନ କରାଯିବ ନାହିଁ। ଏହାଛଡା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ସିବିଆଇ,ଲୋକପାଳ, ଲୋକାୟୁକ୍ତ ଅଥବା ଅନ୍ୟ କେନ୍ଦ୍ରୀୟ ଏଜେନ୍ସି ଯାଞ୍ଚ କରୁଥିବା ମାମଲାଗୁଡ଼ିକର ସମାଧାନ ଅଦାଲତ ବାହାରେ ହେବ ନାହିଁ ବୋଲି ନିର୍ଦ୍ଦେଶାବଳୀରେ ସ୍ପଷ୍ଟ କରାଯାଇଛି।

Share