କ୍ୱାରାଣ୍ଟାଇନ୍‌ ସେଣ୍ଟର ଅନୁଧ୍ୟାନ କଲେ ଜିଲାପାଳ

ଆର.ଉଦୟଗିରି,୨ା୫(ଡି.ଏନ.ଏ.): ଗଜପତି ଜିଲାପାଳ ଅନୁପମ ଶାହା ନୂଆଗଡ ବ୍ଲକର କରୋନା ପାଇଁ ଖୋଲାଯାଇଥିବା ବିଭିନ୍ନ କ୍ୱାରାଣ୍ଟାଇନ୍‌ ସେଣ୍ଟର ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଜିଲାପାଳ ଖଜୁରିପଦା ପଞ୍ଚାୟତର ଦୋଘରିଆ ଆଦିବାସୀ ହାଇସ୍କୁଲ କ୍ବାରେଣ୍ଟାଇନ୍‌ ସେଣ୍ଟର ସମେତ ବଡପଦା ଓ କେ.ଝାଲରସିଂ ଆଦି ପଞ୍ଚାୟତରେ ଖୋଲିଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ସେଗୁଡିକରେ ଥିବା ଲୋକଙ୍କୁ ଭଲ ରନ୍ଧାଖାଦ୍ୟ ଦେବା ପାଇଁ ପରାମର୍ଶ ଦେଇଥିଲେ। ନୂଆଗଡ଼ ବ୍ଲକର ୨,୩୭୪ ଶ୍ରମିକ ବାହାର ରାଜ୍ୟରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ଏକ ହଜାରରୁ ଉର୍ଦ୍ଧ୍ୱ ଘରକୁ ଫେରିବା ପାଇଁ ପଞ୍ଜୀକରଣ କରାଯାଇଛି ବୋଲି ନୋଡାଲ ଅଫିସର ପ୍ରଭାକର ସାହୁ କହିଛନ୍ତି। ଜିଲାପାଳଙ୍କ ପରିଦର୍ଶନ ବେଳେ ନୂଆଗଡ ତହସିଲଦାର ପ୍ରଫୁଲ କୁମାର କୁଜୁରୁ, ବିଡିଓ ଲାବଣ୍ୟନେନ୍ଦୁ ମାହାନ୍ତି, ସହକାରୀ ଯନ୍ତ୍ରୀ ପି.କେ. ପଟ୍ଟନାୟକ ଓ ପଞ୍ଚାୟତର ପିଇଓମାନେ ଉପସ୍ଥିତ ଥିଲେ। ନୂଆଗଡ଼ରୁ ଜିଲାପାଳ ଆର.ଉଦୟଗିରି ବ୍ଲକକୁ ଆସି କରୋନା ମୁକାବିଲା ଲାଗି ନିଆଯାଇଥିବା ପଦକ୍ଷେପ ଉପରେ ସମୀକ୍ଷା କରିଥିବା ବିଡିଓ ପ୍ରଦୀପ କୁମାର ନାୟକ କହିଛନ୍ତି।