କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଅନ୍ତେବାସୀଙ୍କ ସହ ରଜ ପାଳିଲେ ସରପଞ୍ଚ

ହାଟଡିହୀ,୧୪ା୬(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ସରପଞ୍ଚ ଅନସୂୟା ସେଠୀ ପଞ୍ଚାୟତ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହୁଥିବା ୨୫ ଅନ୍ତେବାସୀଙ୍କ ସହ ସାମାଜିକ ଦୂରତା ରକ୍ଷା କରି ରଜ ପାଳନ କରିଛନ୍ତି। ଅନ୍ତେବାସୀଙ୍କୁ ସରପଞ୍ଚ ମିଠା, ପିଠା ଓ ରଜପାନ ଦେଇ ଆପ୍ୟାୟିତ କରିଥିଲେ। ଫଳରେ ଏକ ଭାବାବେଗମୟ ପରିବେଶ ସୃଷ୍ଟି ହୋଇଥିଲା। ସରପଞ୍ଚ ଏକଧାରାରେ ଅନ୍ତେବାସୀଙ୍କ ମଧ୍ୟରୁ କାହା ପାଇଁ ମା’ ସାଜିଥିବା ବେଳେ କାହା ପାଇଁ ଭଉଣୀ ଆଉ କାହା ପାଇଁ ଭାଉଜ ସାଜିଛନ୍ତି। କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ନିଜର ଘର ଏବଂ ଆମେ ସମସ୍ତେ ଗୋଟିଏ ପରିବାର ଭାବି ରଜ ପାଳନ କରିବା ପାଇଁ ସରପଞ୍ଚ ଅନ୍ତେବାସୀଙ୍କୁ କହିଥିଲେ। ରଜପର୍ବରେ ଯେପରି କେହି ଦୁଃଖ ଅନୁଭବ ନ କରିବେ ସେଥିପାଇଁ ସରପଞ୍ଚଙ୍କ ଏପରି ଉଦ୍ୟମକୁ ପ୍ରଶଂସା କରାଯାଇଛି। ପ୍ରତି ବ୍ୟକ୍ତି ରଜପର୍ବକୁ ନିଜ ଘରେ ପରିବାର ଲୋକଙ୍କ ସହ ପାଳନ କରିବାକୁ ବାର୍ତ୍ତା ଦେଇଥିଲେ। ଏହି ସମୟରେ ସାମାଜିକକର୍ମୀ କଳ୍ପତରୁ ସେଠୀ,କାମପାଳ ନାୟକ, ସଦାଶିବ ଚକ୍ର, ଆଶୁତୋଷ ପହୀ, ଜଗନ୍ନାଥ ନାୟକ, ବିଶ୍ୱନାଥ ସାହୁ, ଚନ୍ଦ୍ରମଣି ସାହୁ, ଆଶା ଓ ଅଙ୍ଗନଓ୍ବାଡ଼ି କର୍ମୀ ଉପସ୍ଥିତ ଥିଲେ। ଏଥିସହ ସରପଞ୍ଚ ହାଟଡିହୀ ଅଞ୍ଚଳର ଖବରଦାତାଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରିଥିଲେ।