କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ନ ରହି ଲୁଚୁଛନ୍ତି ବାହାର ଫେରନ୍ତା

ଲୋଇସିଂହା,୩ା୫(ଡି.): ବଲାଙ୍ଗୀର ଜିଲା ଗୁଡଭେଲା ବ୍ଲକ ଅଞ୍ଚଳରୁ ଦୁଇଜଣ ତାମିଲନାଡୁ ଫେରନ୍ତା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ବାହାରେ ଥିବା ଜିଲାର ଦାଦନଙ୍କୁ ରାଜ୍ୟ ସରକାର ଫେରାଇ ଆଣୁଥିବାରୁ ସଂକ୍ରମିତ ବଢ଼ିବା ଆଶଙ୍କାରେ ଏବେ ଜିଲାବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ଅପରପକ୍ଷେ ଲୋଇସିଂହା ବ୍ଲକର ବିଭିନ୍ନ ଗ୍ରାମକୁ ବିନା ରେଜିଷ୍ଟ୍ରେଶନରେ ଶତାଧିକ ସଂଖ୍ୟାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଫେରୁଛନ୍ତି। ଏମାନଙ୍କୁ ପଞ୍ଚାୟତ ପକ୍ଷରୁ ଚିହ୍ନଟ କରି କ୍ୱାରାଣ୍ଟାଇନରେ ରଖିବା ବ୍ୟବସ୍ଥା କରାଯାଉନାହିଁ। ସେମାନେ ହୋମ୍‌ କ୍ୱାରାଣ୍ଟାଇନ୍‌ ଆଳରେ ଘରେ ରହି ପରିବାର ଓ ପଡ଼ୋଶୀଙ୍କ ସହ ମିଳାମିଶା କରୁଥିବା ଅଭିଯୋଗ ହେଉଛି। ଶୁକ୍ରବାର ସନ୍ଧ୍ୟାରେ ଲୋଇସିଂହା ନିକଟସ୍ଥ ଏକ ଗ୍ରାମର ଦୁଇ ଯୁବକ କରୋନା ସଂକ୍ରମିତ ଝାରସୁଗୁଡ଼ା ଅଞ୍ଚଳରୁ ଆସି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ସେଠାରେ ଡାକ୍ତରଙ୍କ ପରାମର୍ଶ ନେଇ ଗାଁକୁ ଯାଇଥିଲେ। ଶନିବାର ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଏକ ଟିମ୍‌ ଗାଁକୁ ଯାଇ ସଂପୃକ୍ତ ଯୁବକଙ୍କୁ ଭେଟିଥିଲେ। ସେମାନେ ପଞ୍ଚାୟତ କ୍ୱାରାଣ୍ଟାଇନ୍‌ରେ ନ ରହି ଗାଁଠାରୁ ଦୂରରେ ଥିବା ଏକ ଜମିରେ ଥିବା କୁଡିଆଘରେ ରହୁଥିବା ଡାକ୍ତରୀ ଟିମ୍‌ ଜାଣିବାକୁ ପାଇ ସେଠାକୁ ଯାଇଥିଲେ। ସେମାନଙ୍କ ଠାରେ ଏବେ କୌଣସି ଲକ୍ଷଣ ଦେଖାଯାଉନାହିଁ। ତଥାପି ସ୍ବାବ୍‌ ଟେଷ୍ଟ ପାଇଁ ପଠାଯିବ ବୋଲି ଡାକ୍ତରୀ ଦଳ ପ୍ରକାଶ କରିଛନ୍ତି। କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ଅସୁରକ୍ଷିତ ମଣି ଜଙ୍ଗଲରେ ରହିବା କେତେଦୂର ସମୀଚୀନ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏ ଦିଗରେ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।