Categories: ଫୁରସତ

କ୍ୟାନସର ପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ବ୍ୟାଙ୍କ ଚାକିରି ଛାଡ଼ିଲେ ଏହି ବ୍ୟକ୍ତି

କ୍ୟାନସର ପୀଡ଼ିତ ବନ୍ଧୁ ଏବଂ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ଜଣେ ବ୍ୟକ୍ତି ବ୍ୟାଙ୍କ ଚାକିରି ଛାଡ଼ି ଦେଇଛନ୍ତି। ଏଥିସହିତ ୯୬ ସପ୍ତାହରେ ୧୯୬ ଦେଶ ଭ୍ରମଣ କରି ସହାୟତା ରାଶି ଯୋଗାଡ଼ କରିଛନ୍ତି। ଇଂଲଣ୍ଡର ନିକ୍‌ ବଟର ଏପରି ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି। ଦୁଇବର୍ଷ ପୂର୍ବରୁ ସେ ବିଶ୍ୱ ଭ୍ରମଣରେ ବାହାରିଥିଲେ। ତାଙ୍କର ଏହି ଇଚ୍ଛା ୨ ଦିନ ତଳେ ପୂରଣ ହୋଇଛି। ୨୦୧୬ ମସିହାରେ ମସ୍କୋରେ କ୍ୟାନସର ନିରୋଧ ପାଇଁ ଏକ ମାରାଥନ ଦୌଡ଼ର ଆୟୋଜନ କରାଯାଇଥିଲା। ସେଠାରେ କ୍ୟାବିନ୍‌ ବେବର ନାମକ ଜଣେ ବ୍ୟକ୍ତିଙ୍କ ସହ ନିକ୍‌ଙ୍କର ସାକ୍ଷାତ ହୋଇଥିଲା। କ୍ୟାବିନ୍‌ ନିକ୍‌ଙ୍କୁ କହିଥିଲେ ତାଙ୍କୁ କ୍ୟାନସର ହୋଇଛି। ଯାହା ଶେଷ ପର୍ଯ୍ୟାୟରେ। ସେ ନିକ୍‌ଙ୍କୁ କହିଥିଲେ, ‘କ୍ୟାନସର ହେବା ପର୍ଯ୍ୟନ୍ତ ଅପେକ୍ଷା କର ନାହିଁ’। ତାଙ୍କର ଏହି କଥା ପଦିଏ ନିକ୍‌ଙ୍କ ହୃଦୟ ତରଳାଇ ଦେଇଥିଲା। ଫଳରେ ସେ ବ୍ୟାଙ୍କ ଚାକିରି ଛାଡ଼ି କ୍ୟାନସର ପୀଡ଼ିତଙ୍କ ପାଇଁ ଅର୍ଥ ଯୋଗାଡ଼ରେ ଲାଗିପଡ଼ିଲେ। ସେ ପ୍ରଥମେ ଏହି ଅଭିଯାନ ୨୦୧୮ ଜାନୁୟାରୀରେ କାନାଡାରୁ ଆରମ୍ଭ କରିଥିଲେ। ପ୍ରାୟ ୯୬ ସପ୍ତାହରେ ଅନେକ ଦେଶ ଭ୍ରମଣ କରି କ୍ୟାନସର ପୀଡ଼ିତଙ୍କ ପାଇଁ ଅର୍ଥ ଯୋଗାଡ଼ କରିଛନ୍ତି।
ଖାଲି ଏତିକି ନୁହେଁ, ୧୯୬ ଦେଶ ବୁଲିବା ପାଇଁ ଏହି ଅଭିଯାନରେ ସେ ୧୦ଟି ପାସପୋର୍ଟ, ୧୨୦ଟି ଭିଜା, ୨୦୧ ଫ୍ଲାଇଟ୍‌, ୪୫ଟି ଟ୍ରେନ୍‌, ୧୫ଟି ବସ୍‌ ଏବଂ ୨୮୦ ଟ୍ୟାକ୍ସିରେ ସେ ସମଗ୍ର ବିଶ୍ୱ ଭ୍ରମଣ କରିଛନ୍ତି। ଏହି ଯାତ୍ରା ସମୟରେ ତାଙ୍କ ସହ ଅନେକ ଦୁର୍ଘଟଣା ମଧ୍ୟ ଘଟିଛି। ତଥାପି ସେ ହାରି ଯାଇନାହାନ୍ତି। ଏହି ମାରାଥନ ଦୌଡ଼ରେ ରବିବାର ସେ ଏଥେନ୍ସରେ ପହଞ୍ଚିଛନ୍ତି। ବିଭିନ୍ନ ଦେଶ ଭ୍ରମଣ କରି ସେ ୨.୩୦ କୋଟିରୁ ଅଧିକ ଅର୍ଥ ସଂଗ୍ରହ କରିଛନ୍ତି।

Share