କ୍ୟାନସରକୁ ହରାଇ ସ୍କୁଲରେ ପହଞ୍ଚିଲେ ୬ ବର୍ଷ ବୟସ୍କ ବାଳକ: ସାଥୀମାନେ ତାଳିମାରି କଲେ ସ୍ବାଗତ; ଭିଡ଼ିଓ ଭାଇରାଲ…

ଓହିୟୋ, ୧୨।୧: କ୍ୟାନସରରେ ପୀଡ଼ିତ ହୋଇଥିବା ଜଣେ ୬ ବର୍ଷ ବୟସ୍କ ବାଳକ ଚିକିତ୍ସା ପରେ ଶେଷରେ ସୁସ୍ଥ ହୋଇ ସ୍କୁଲକୁ ଫେରିଛନ୍ତି। ତାଙ୍କୁ ତାଙ୍କର ସହପାଠୀ ଏବଂ ଜୁନିଅର, ସିନିଅର ତଥା ଶିକ୍ଷକ ଶିକ୍ଷୟିତ୍ରୀମାନେ ତାଳିମାରି ସ୍ବାଗତ କରିଛନ୍ତି। ଏବେ ଏହାର ଭିଡ଼ିଓ ଏବଂ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଆମେରିକା ଓହିୟୋରେ ଥିବା ସେଣ୍ଟ୍‌ ହେଲେନ୍‌ କ୍ୟାଥ୍‌ଲିକ୍‌ ସ୍କୁଲର ଛାତ୍ର ଜନ୍‌ ଓଲିଓ୍ବର ଜିପ୍ପି ଦୀର୍ଘ ୩ ବର୍ଷ ଧରି କ୍ୟାନସର ଚିକିତ୍ସା ଯୋଗୁ ସ୍କୁଲ ଆସିପାରି ନ ଥିଲେ। ୨୦୧୬ରେ ଓଲିଓ୍ବରଙ୍କଠାରେ ଲିମ୍ଫୋବ୍ଲାଷ୍ଟିକ୍‌ ଲ୍ୟୁକୋମିଆ ଚିହ୍ନଟ ହୋଇଥିଲା। ଏହାପରେ ହସ୍ପିଟାଲରେ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା। ଗତ ଡିସେମ୍ବର ୨୭ରେ ତାଙ୍କର ଶେଷ କେମୋଥେରାପି ହୋଇଥିଲା। ଏହାପରେ ସେ ସ୍କୁଲକୁ ଫେରିଥିଲେ। ତାଙ୍କୁ ବିଜେତା ଭାବେ ସ୍ବୀକାର କରି ସ୍କୁଲ ପକ୍ଷରୁ ସ୍ବାଗତ କରାଯାଇଥିଲା। ପ୍ରକୃତରେ ଓଲିଓ୍ବର କ୍ୟାନସରକୁ ହରାଇଛନ୍ତି ବୋଲି ଭାବ ବିହ୍ବଳ ହୋଇ ସ୍କୁଲର ପ୍ରଧାନ ଶିକ୍ଷକ ପୌଟ୍ରିକ୍‌ ଗାନ୍ନୋନ ସୂଚନା ଦେଇଛନ୍ତି। ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହୋଇଥିବା ୧୯ ସେକେଣ୍ଡର ଏହି ଭିଡ଼ିଓରେ ଓଲିଓ୍ବର ସହପାଠୀଙ୍କ ସ୍ବାଗତରେ ହସୁଥିବା ଦେଖିବାକୁ ମିଳୁଛି।

Share