କ୍ଷେତରେ ଲହଡ଼ି ମାରୁଛି ବର୍ଷାଜଳ: ଚିନ୍ତାରେ ଚାଷୀ

ଆରଡ଼ି,୩ା୫(ଡି.ଏନ୍‌.ଏ.): ଲକ୍‌ଡାଉନ୍‌ ପ୍ରଭାବ ଯୋଗୁ ଧାନ କାଟିବାରେ ସମସ୍ୟା ଉପୁଜିଛି। ଏଥିସହ ଏକ ସପ୍ତାହ ହେଲା ଲଗାତର ଝଡ଼ବର୍ଷା ହୋଇଥିବାରୁ ଚାଷଜମିରେ ବର୍ଷାଜଳ ଲହଡ଼ି ମାରୁଛି। ଭଦ୍ରକ ଜିଲା ଧାମନଗର ବ୍ଲକ ସାଆଁଳପୁର ଗ୍ରାମର ଦିବ୍ୟ ରଞ୍ଜନ ମହାନ୍ତି ଚଳିତ ବର୍ଷ ଧାଡ଼ିରୁଆ ପ୍ରଣାଳୀରେ ୨୦ ଏକରରୁ ଅଧିକ ଜମିରେ ଧାନଚାଷ କରିଥିଲେ। ଉନ୍ନତ ପ୍ରଣାଳୀରେ ଭଲ ଅମଳ ପାଇବାର ଆଶାପୋଷଣ କରି ସେ ଏହି ଚାଷରେ ଲକ୍ଷାଧିକ ଟଙ୍କା ବିନିଯୋଗ କରିଥିଲେ। କୃଷି ଋଣ କରିବା ସହ ସେ ହାତ ଉଧାର ମଧ୍ୟ କରିଥିଲେ। ଚଳିତବର୍ଷ ତାଙ୍କ ଧାନଚାଷ ଭଲ ହୋଇଥିବାରୁ ଅଧିକ ଅମଳ ପାଇବା ନେଇ ଆଶା ରଖିଥିଲେ। ମାତ୍ର କରୋନା ପାଇଁ ହୋଇଥିବା ଲକ୍‌ଡାଉନ୍‌ ଯୋଗୁ ପ୍ରଥମେ ଟେକ୍‌ନିସିଆନ ତାଙ୍କ ଜମିକୁ ଆସି ପାରି ନ ଥିଲେ। ପରବର୍ତ୍ତୀ ସମୟରେ କୃଷି ଶ୍ରମିକଙ୍କ ଅଭାବ ସମସ୍ୟା ସୃଷ୍ଟି କରିଥିଲା। ଆଉ ଏବେ କାଳବୈଶାଖୀର ପ୍ରଭାବ ତାଙ୍କ ପାଇଁ ଘୋର ସମସ୍ୟା ସୃଷ୍ଟି କରିଛି। ନିଜ ଚାଷ କ୍ଷୟକ୍ଷତି ବିଷୟରେ ସେ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଓ ବ୍ଲକ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରିଛନ୍ତି। ସେମାନେ କ୍ଷୟକ୍ଷତିର ଆକଳନ କରି ଫେରିଛନ୍ତି। ତାଙ୍କୁ ସହାୟତା ମିଳିବା ନେଇ ସେ ଆଶାବାଦୀ ଥିବା କହିଛନ୍ତି।