କ୍ଷେତରେ ଲହଡ଼ି ମାରୁଛି ବର୍ଷାଜଳ

ଆରଡି,୩ା୫(ଡି.ଏନ୍‌.ଏ.)- ଲକ୍‌ଡାଉନର ପ୍ରଭାବ ଯୋଗୁଁ ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ସାଆଁଳପୁର ଗ୍ରାମରେ ପାଚିଲା ଧାନକଟାରେ ସମସ୍ୟା ଉପୁଜିଛି। ଏହା ସାଙ୍ଗକୁ ପ୍ରାୟ ଏକ ସପ୍ତାହ ହେଲା କାଳବୈଶାଖୀ ଯୋଗୁ ଝଡ଼ବର୍ଷା ଲାଗି ରହୁଥିବାରୁ ଚାଷ ଜମିରେ ବର୍ଷାଜଳ ଲହଡ଼ି ମାରୁଛି । ଗ୍ରାମର ଦିବ୍ୟ ରଞ୍ଜନ ମହାନ୍ତି ଚଳିତ ବର୍ଷ ଧାଡ଼ିରୁଆ ପ୍ରଣାଳୀରେ ୨୦ ଏକରରୁ ଅଧିକ ଜମିରେ ରବିଧାନ ଚାଷ କରିଥିଲେ। ଉନ୍ନତ ପ୍ରଣାଳୀରେ ଭଲ ଅମଳ ପାଇବା ଆଶାରେ ସେ ଏହି ଧାନଚାଷରେ ଲକ୍ଷାଧିକ ଟଙ୍କା ବିନିଯୋଗ କରିଥିଲେ। ଚାଷ ପାଇଁ ଋଣ କରିବା ସହ ହାତ ଉଧାରି ମଧ୍ୟ କରିଥିଲେ । ଚଳିତ ବର୍ଷ ତାଙ୍କ ଧାନଚାଷ ମଧ୍ୟ ଭଲ ଅମଳ ଦେବା ଉପେଯାଗୀ ହୋଇଥିଲା । ମାତ୍ର କରୋନା ପାଇଁ ଲକ୍‌ଡାଉନ ଯୋଗୁ ପ୍ରଥମେ ଟେକ୍‌ନିସିଆନ ତାଙ୍କ ଜମିକୁ ଆସି ପାରି ନ ଥିଲେ । ପରବର୍ତ୍ତି ସମୟରେ କୃଷି ଶ୍ରମିକଙ୍କ ଅଭାବ ଦେଖା ଦେଇଥିଲା। ଏବେ କାଳବୈଶାଖୀର ପ୍ରଭାବ ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ନିଜ ଚାଷ କ୍ଷୟକ୍ଷତି ବିଷୟରେ ସେ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଓ ବ୍ଲକ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରିଛନ୍ତି। ସେମାନେ କ୍ଷୟକ୍ଷତିର ଆକଳନ କରି ଫେରିଛନ୍ତି। ତାଙ୍କୁ କ୍ଷତିପୂରଣ ସହାୟତା ମିଳିବା ନେଇ ସେ ଆଶାବାଦୀ ଅଛନ୍ତି। ଯଦି ଏହା ତୁରନ୍ତ ମିଳି ଯାଆନ୍ତା ତେବେ ସେ ଋଣମୁକ୍ତ ହେବାସହ ପୁନଶ୍ଚ ଶାରଦ ଚାଷପାଇଁ ପ୍ରସ୍ତୁତ ହୁଅନ୍ତେ ବୋଲି ଦିବ୍ୟ ରଞ୍ଜନ କହିଛନ୍ତି।