କ୍ଷୀର ବ୍ୟବସାୟୀ ହତ୍ୟା ଘଟଣା: ଢେଙ୍କାନାଳ ପୋଲିସ କବ୍‌ଜାରେ ମୁଖ୍ୟ ଅଭିଯୁକ୍ତ

ବ୍ରହ୍ମପୁର ଅଫିସ,୧୩ା୧: ବ୍ରହ୍ମପୁର ସହରର କ୍ଷୀର ବ୍ୟବସାୟୀ ଲମ୍ବୋଧର ମୁନୀ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଶଙ୍କର ସାହୁ ଢେଙ୍କାନାଳ ପୋଲିସ ହାତରେ ଧରାପଡିଛନ୍ତି। ହତ୍ୟାକାଣ୍ଡ ପରଠାରୁ ଶଙ୍କର ଫେରାର ଥାଇ ଢେଙ୍କାନାଳରେ ଏକ ଡକାୟତି ଗ୍ୟାଙ୍ଗ ଚଳାଇଥିଲେ। ତାଙ୍କ ସମେତ ଅନ୍ୟ ୫ ଡକାୟତଙ୍କୁ ପୋଲିସ ଗିରଫ କରିଛି। ଲମ୍ବୋଧରଙ୍କୁ ହତ୍ୟା ପରେ ଫେରାର୍‌ ଥିଲେ ବୋଲି ଶଙ୍କର ସ୍ବୀକାର କରିଛନ୍ତି। ଏହା ଜଣାପଡିବା ବ୍ରହ୍ମପୁର ପୋଲିସ ତାଙ୍କୁ ରିମାଣ୍ଡରେ ଆଣି ହତ୍ୟା ଘଟଣା ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବ ବୋଲି ଜଣାପଡିଛି। ପ୍ରକାଶ ଯେ, ୨୦୨୦ ଜୁନ୍‌ ୧୩ ତାରିଖ ବିଳମ୍ବିତ ରାତିରେ ଲମ୍ବୋଧର ଘରେ ଶୋଇଥିବା ବେଳେ ଶଙ୍କର ଓ ତାଙ୍କ ଗ୍ୟାଙ୍ଗ ପଶି ତାଙ୍କୁ ହତ୍ୟା କରିବା ସହ ସୁନା ଗହଣା ଓ ଟଙ୍କା ଲୁଟି ନେଇଥିଲେ। ଅଭିଯୋଗ ପରେ ଗୋଷାଣିନୁଆଗାଁ ପୋଲିସ ଏହି ହତ୍ୟା ଘଟଣାରେ ୬ଜଣ ସମ୍ପୃକ୍ତ ଥିବା ଜାଣିବାକୁ ପାଇଥିଲା। ପର୍ଯ୍ୟାୟକ୍ରମେ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଶଙ୍କର ଫେରାର ଥିଲେ।