Categories: ବାଣିଜ୍ୟ

କ୍ଷମତା ହିସାବରେ ଋଣ ଦିଅନ୍ତୁ ବ୍ୟାଙ୍କ: ନିର୍ମଳା ସୀତାରାମନ

ନୂଆଦିଲ୍ଲୀ,୨୫-୧୧: ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ଋଣ ଯୋଗାଣ ସମୟରେ ନିଜର କ୍ଷମତା ଏବଂ ଦୁର୍ବଳତା ଭଳି ପ୍ରସଙ୍ଗଗୁଡିକୁ ବିଚାର କରିବା ଆବଶ୍ୟକ ବୋଲି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର କହିଛନ୍ତି। ଚେନ୍ନାଇଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, ବ୍ୟବସାୟ ସମ୍ପ୍ରସାରଣ କରିବା ବେଳେ ବ୍ୟାଙ୍କଗୁଡିକ ବିଭିନ୍ନ ଦିଗ ଉପରେ ବିଚାର କରିବାର ଆବଶ୍ୟକତା ରହିଛି। ବ୍ୟାଙ୍କଗୁଡିକ ସେମାନଙ୍କ ସ୍ଥିତି ନେଇ ଅନୁମାନ ଲଗାଇବା ପରେ ଧିରେ ଧିରେ ଋଣ ଯୋଗାଣ ଦ୍ୱାରା ନିଜର ବିକାଶ ସାଧନ କରିପାରିବେ। ସିଟି ୟୁନିୟନ ବ୍ୟାଙ୍କର ୧୧୬ତମ ସ୍ଥାପନ ଦିବସରେ ସେ କହିଛନ୍ତି, ଏବେ ବ୍ୟାଙ୍କଗୁଡିକ ଶୀଘ୍ର ଶାଖା ଖୋଲି ସାରା ଦେଶରେ ବିସ୍ତାର ହୋଇ ପାରିବେ ତାହା ଭାବୁଛନ୍ତି। ନିଜ ପରିଚାଳନା କ୍ଷମତାଠାରୁ ଅଧିକ ବିସ୍ତାର ବ୍ୟାଙ୍କଗୁଡିକ ଲାଗି କ୍ଷତିକାରକ ହେଉଛି। ବିଭିନ୍ନ କାରଣ ଯୋଗୁ ବ୍ୟାଙ୍କ ଶବ୍ଦ ଉପରେ ଲୋକମାନଙ୍କର ସନ୍ଦେହ ଉପୁଜିଛି। ଜଣେ କର୍ମଚାରୀଙ୍କର ଭୂଲ କାମ ସମ୍ପୂର୍ଣ୍ଣ ବ୍ୟାଙ୍କଉପରେ ପ୍ରଶ୍ନବାଚୀ ସୃଷ୍ଟି କରିପାରେ ବୋଲି ସୀତାରାମନ ମତ ରଖିଛନ୍ତି। ବୃହତ୍ତ ଏନ୍‌ପିଏ କାରଣରୁ ବ୍ୟାଙ୍କ କ୍ଷତି ସହିଛନ୍ତି। ବ୍ୟାଙ୍କିଙ୍ଗ ଶିଳ୍ପରେ ଏମିତି ଅନେକ ଘଟଣା ଘଟିଛି ଯାହା ଦୃଶ୍ୟପଟକୁ ବଦନାମ କରିଛି। ଏନ୍‌ପିଏ ସମସ୍ୟା ଯୋଗୁ ବ୍ୟାଙ୍କ ଅଧିକ ଋଣ ଦେବାକୁ ସକ୍ଷମ ହୋଇ ପାରୁ ନାହାନ୍ତି। ସରକାର ଅଗଷ୍ଟରେ ୧୦ ବ୍ୟାଙ୍କକୁ ମିଶାଇ ୪ ବଡ ବ୍ୟାଙ୍କଗଠନ ନେଇ ଯୋଜନା ରଖିଛନ୍ତି। ଏହା ହେଲେ ବ୍ୟାଙ୍କଗୁଡିକ ଋଣ ଯୋଗାଣ କରିବାକୁ ସକ୍ଷମ ହେବେ ବୋଲି ସରକାର କହିଛନ୍ତି।

Share