କ୍ଷତାକ୍ତ ଯବାନଙ୍କ ସେବା ହିଁ ଦେଶସେବା

ସିକନ୍ଦରାବାଦ: ଶତ୍ରୁଙ୍କ କବଳରୁ ଦେଶକୁ ରକ୍ଷା କରିବାପାଇଁ କେବଳ ବନ୍ଧୁକ ଚଳାଇବା ନୁହେଁ, ଯୁଦ୍ଧକ୍ଷେତ୍ରରେ ଶତ୍ରୁଙ୍କ ଗୁଳିରେ ଆହତ ଯବାନଙ୍କ ସେବା ସୁଶ୍ରୂଷା କରିବା ମଧ୍ୟ ଦେଶସେବା। ଭାରତୀୟ ସ୍ଥଳସେନାରେ କାର୍ଯ୍ୟରତ ନାଏବ ସୁବେଦାର ଗୋପୁ ରାମଣା ରେଡ୍ଡୀ ଏହାକୁ ନିଜର ବ୍ରତଭାବେ ପାଳନ କରୁଛନ୍ତି। ଆନ୍ଧ୍ରପ୍ରଦେଶ ରାଜ୍ୟ ପ୍ରକାଶମ୍‌ ଜିଲା ଅଧୀନ ଗିଡ୍ଡାଲୁର୍‌ ଗ୍ରାମରେ ରାମଣାଙ୍କ ଘର। ସେ ଆର୍ମି ମେଡିକାଲ କୋର୍ପସ୍‌ରେ କାର୍ଯ୍ୟରତ ଥିବାବେଳେ ଜଣେ ନର୍ସିଂ ଆସିଷ୍ଟାଣ୍ଟଭାବେ ସୀମାରେ ଲଢ଼େଇ ସମୟରେ ଏବଂ ତାପମାତ୍ରା କମ୍‌ଯୋଗୁ ବରଫ ମଧ୍ୟରେ ରହି ଅନେକ ସମୟରେ ଆହତ ହେଉଥିବା ଯବାନମାନଙ୍କ କ୍ଷତ ଭଲ କରିବା ଏବଂ ପୁଣି ଲଢ଼େଇ ପାଇଁ ସେମାନଙ୍କୁ ସୁସ୍ଥ କରିବା ତାଙ୍କ କାର୍ଯ୍ୟ। ହେଲେ ସେ ଏହାକୁ ନିଜ ପେସାଠାରୁ ଅଧିକ ନିଶା ରୂପେ ଗ୍ରହଣ କରିଛନ୍ତି। ସେ କୌଣସି ବାଧ୍ୟବାଧକତାରେ ନୁହେଁ ବରଂ ନିଜ ଖୁସିରେ ଭାରତୀୟ ସୈନ୍ୟବାହିନୀରେ ଯୋଗଦେଇଥିବା କୁହନ୍ତି। ସୀମାରେ ଲଢ଼େଇ ସମୟରେ ସେମାନେ ମଧ୍ୟ ଶତ୍ରୁଙ୍କ ଟାର୍ଗେଟ ହୋଇଥାନ୍ତି। ତେଣୁ ବିଭିନ୍ନ ଔଷଧ ସମେତ ନିଜକୁ ରକ୍ଷା କରିବାପାଇଁ ସାଥିରେ ଅସ୍ତ୍ରଶସ୍ତ୍ର ମଧ୍ୟ ନେବାକୁ ପଡ଼ିଥାଏ ବୋଲି ସେ କୁହନ୍ତି। ରାମଣା ମୀରଟ୍‌, ଦିଲ୍ଲୀ, ଶ୍ରୀନଗର, ସୁରଟଗଡ଼, ଲକ୍ଷ୍ନୌ,ପୁନେ ଏବଂ ସିକନ୍ଦରାବାଦଠାରେ ସେବା ଯୋଗାଇଆସିଛନ୍ତି।

Share