Categories: ବାଣିଜ୍ୟ

କ୍ରିପ୍ଟୋକରେନ୍ସି ବ୍ୟାନ୍‌ ପାଇଁ ସୁପାରିସ୍‌

ନୂଆଦିଲ୍ଲୀ,୨୩-୭: କ୍ରିପ୍ଟୋକରେନ୍ସି ଉପରେ ନିଷ୍ପତ୍ତି ନେବା ଲାଗି ସରକାରଙ୍କ ପକ୍ଷରୁ ଗଠିତ ଅନ୍ତଃମନ୍ତ୍ରଣାଳୟ କମିଟି ତାଙ୍କର ରିପୋର୍ଟ ପ୍ରଦାନ କରିଛନ୍ତି। ଦେଶରେ ଘରୋଇ କ୍ରିପ୍ଟୋକରେନ୍ସି ପ୍ରଚଳନକୁ ସମ୍ପୂର୍ଣ୍ଣ ବ୍ୟାନ୍‌ କରିବା ଲାଗି ସୁପାରିସ୍‌ରେ କୁହାଯାଇଛି। ଏଥିରେ କୁହାଯାଇଛି ଯେ, ଘରୋଇ କ୍ରିପ୍ଟୋକରେନ୍ସିରେ ଅଧିକ ବିପଦ ରହିଛି ଏବଂ ଏହାର ମୂଲ୍ୟରେ ଅସ୍ଥିରତା ଲାଗି ରହିବ। ଏଣୁ ଦେଶରେ କ୍ରିପ୍ଟୋକରେନ୍ସିକୁ ବ୍ୟାନ କରାଯିବା ସହ ଏଥିରେ ସମ୍ପୃକ୍ତ ଥିବା ପକ୍ଷଙ୍କ ଠାରୁ ବଡ଼ ଧରଣର ଜରିମାନା ଆଦାୟ କରିବାକୁ ସୁପାରିସ୍‌ରେ କୁହାଯାଇଛି। ରିପୋର୍ଟରେ ବିଟ୍‌କଏନ୍‌ ସମେତ ଇଥେରିୟମ, ରିପଲ ଏବଂ କାର୍ଡାନୋ ସମେତ ବହୁ କ୍ରିପ୍ଟୋକରେନ୍ସି ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଆଜିସୁଦ୍ଧା ବିଶ୍ୱରେ ୧୧୯.୪୬ ବିଲିୟନ ଡଲାର ମୂଲ୍ୟର ୨,୧୧୬ ପ୍ରକାର କ୍ରିପ୍ଟୋକରେନ୍ସି ପ୍ରଚଳନରେ ରହିଛି। ଏସଂକ୍ରାନ୍ତରେ ଏକ ବିଲ୍‌ ଆଣିବାକୁ କମିଟି ପରାମର୍ଶ ଦେଇଛି। ଏହି ରିପୋର୍ଟ ଓ ଚିଠା ବିଲ୍‌କୁ ସରକାର ଅନୁଧ୍ୟାନ କରିବା ପରେ ନିଷ୍ପତ୍ତି ନେବେ ବୋଲି କୁହାଯାଇଛି। ତେବେ କମିଟି ଡିଷ୍ଟ୍ରିବ୍ୟୁଟେଡ ଲେଜର ଟେକ୍ନୋଲୋଜି ସମ୍ପର୍କରେ ରିପୋର୍ଟରେ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇ ଏହାକୁ ବିଭିନ୍ନ ସରକାରୀ ସେବାରେ ବ୍ୟବହାର କରାଯାଇପାରେ ବୋଲି କୁହାଯାଇଛି।

Share