Categories: ବାଣିଜ୍ୟ

କୋହଳ ହେଲା କର୍ମଚାରୀଙ୍କ ଉପହାର ଗ୍ରହଣ ନୀତି

ନୂଆଦିଲ୍ଲୀ,୨୩-୧୦: କେନ୍ଦ୍ର କର୍ମଚାରୀଙ୍କ ଲାଗି ରହିଥିବା ଉପହାର ଗ୍ରହଣ ନୀତିକୁ ସରକାର ମଙ୍ଗଳବାର କୋହଳ କରିଥିବା ଜଣାପଡ଼ିଛି। ଏହା ଅନ୍ତର୍ଗତ ଉପହାର କ୍ଷେତ୍ରରେ ଅର୍ଥ ଗ୍ରହଣ ସୀମାକୁ ୩ ଗୁଣରୁ ଅଧିକ ବୃଦ୍ଧି କରାଯାଇଥିବା ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। ଗ୍ରୁପ-ଏ ଏବଂ ବି ଅଧୀନରେ ଆସୁଥିବା କର୍ମଚାରୀ କେନ୍ଦ୍ର ସରକାରଙ୍କ ବିନା କୌଣସି ଅନୁମତିରେ ୫,୦୦୦ ଟଙ୍କାରୁ ଅଧିକ ମୂଲ୍ୟର କୌଣସି ଉପହାର ଗ୍ରହଣ କରିପାରିବେ ନାହିଁ। ନିକଟରେ ସଂଶୋଧନ କରାଯାଇଥିବା ଏ ସଂକ୍ରାନ୍ତ ନିୟମରେ ଏଭଳି ପ୍ରସଙ୍ଗ ଉଲ୍ଲେଖ ରହିଛି। ପୂର୍ବରୁ ଏହି ସୀମା ୧୫୦୦ ଟଙ୍କା ରହିଥିଲା। ସେହିଭଳି ଗ୍ରୁପ ସି କର୍ମଚାରୀଙ୍କ କ୍ଷେତ୍ରରେ ପୂର୍ବରୁ ଏହା ୫୦୦ ଟଙ୍କା ଥିବା ବେଳେ ବର୍ତ୍ତମାନ ୨୦୦୦ ଟଙ୍କା କରାଯାଇଛି। ଉପହାର ମଧ୍ୟରେ ମାଗଣା ପରିବହନ, ବୋର୍ଡିଂ, ଲଜିଂ ସାମିଲ ରହିଛି। ସମ୍ପର୍କୀୟ କିମ୍ବା ବ୍ୟକ୍ତିଗତ ବନ୍ଧୁ ବାଦ ଅନ୍ୟ କୌଣସି ବ୍ୟକ୍ତି ଏଭଳି ଡିଲ୍‌ ପ୍ରଦାନ କରୁଥିଲେ କର୍ମଚାରୀଙ୍କୁ ସରକାରଙ୍କ ଅନୁମତି ନେବାକୁ ହେବ ବୋଲି ନିୟମରେ ଉଲ୍ଲେଖ କରାଯାଇଛି। ସାଧାରଣ ମିଲ୍‌, ଲିଫ୍ଟ କିମ୍ବା ସାମାଜିକ ଆତିଥେୟତାକୁ ଉପହାର ଭାବେ ସାଧାରଣତଃ ବିଚାର କରାଯାଇ ନାହିଁ। ଏହବାଦ ବିଦେଶର କୌଣସି ବ୍ୟକ୍ତିଙ୍କ ଠାରୁ ସରକାରୀ କର୍ମଚାରୀଙ୍କ ଲାଗି ରହିଥିବା ଉପହାର ଗ୍ରହଣର ସୀମା ୧୦୦୦ହ ଟଙ୍କାକୁ ମଧ୍ୟ ଉଠାଇ ଦିଆଯାଇଛି। ବିଦେଶୀ ଯୋଗଦାନ ଆଇନ ୨୦୧୨ ମୁତାବକ କୌଣସି କର୍ମଚାରୀ ଉପହାର ଗ୍ରହଣ କରିପାରିବେ ବୋଲି କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Share