କୋଲକୋତା ଫେରନ୍ତାଙ୍କୁ ବୁଝାଇବାକୁ ଯାଇ ହଟହଟା: ସରପଞ୍ଚ, ନାଏବ ସରପଞ୍ଚଙ୍କୁ ମାଡ଼ ଅଭିଯୋଗ

ଯାଜପୁର ଅଫିସ,୨୩ା୪- କୋଲକୋତା ଫେରନ୍ତା ୫ଜଣ ଶ୍ରମିକଙ୍କୁ ସରକାରଙ୍କ ନୀତିନିୟମ ମାନି ରହିବାକୁ ପରାମର୍ଶ ଦେବାକୁ ଯାଇ ଦଶରଥପୁର ବ୍ଲକ ରାହାସୋଇ ପଞ୍ଚାୟତର ସରପଞ୍ଚ ଏବଂ ନାଏବ ସରପଞ୍ଚ ଓ ତାଙ୍କ ସ୍ବାମୀଙ୍କୁ ବୁଧବାର ମଧ୍ୟାହ୍ନରେ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ନାଏବ ସରପଞ୍ଚ ଜଲି ସାହୁ କୋଲକୋତା ଫେରନ୍ତା ୫ଜଣଙ୍କ ନାମରେ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ତାଙ୍କ ସହ ସରପଞ୍ଚ ମାଧବ ମଲିକ, ଆଶାକର୍ମୀ ରମା ପରମାଣିକ ଓ ଅଙ୍ଗନୱାଡି କର୍ମୀ ରମାସୁନ୍ଦରୀ ପଣ୍ଡା ରାହାସୋଇ ଗ୍ରାମକୁ କରୋନା ସଂକମଣ ସଂକ୍ରାନ୍ତରେ ନୀରିକ୍ଷଣ କରିବାକୁ ଯାଇଥିଲେ। ସେଠାରେ କୋଲକୋତା ଫେରନ୍ତା ପ୍ରଭାତ କୁମାର ଦାସ, ବ୍ରଜକିଶୋର ପାତ୍ର, ସନ୍ତୋଷ କୁମାର ପାତ୍ର, ଟୁନା ପଲାଇ ଓ ସୁନା ପଲାଇଙ୍କୁ ଭେଟି ସରକାରୀ ନିୟମ ମାନି ରହିବାକୁ ପରାମର୍ଶ ଦେଇଥିଲେ। ସେଠାରେ ଉପସ୍ଥିତ ଥିବା ସଞ୍ଜୟ ଦାସ ଓ ଜନ୍ମେଜୟ ଦାସ ହଠାତ ଉତ୍ତ୍ୟକ୍ତ ହୋଇ ଅଶଭ୍ୟ ଭାଷାରେ ଗାଳିଗୁଲଜ କରି ତାଙ୍କୁ ଧକ୍କା ମାରିଥିଲେ। ସରକାରଙ୍କ କୌଣସି ନୀତି ନିୟମ ମାନିବୁ ନାହିଁ କି ଅନ୍ୟ କୌଣସି ସ୍ଥାନରେ ରହିବୁ ନାହିଁ ବୋଲି ରୋକଠୋକ ମନା କରିଦେଇଥିଲେ। ଏହାର ଆବଶ୍ୟକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନାଏବ ସରପଞ୍ଚ ସାହୁ ନିବେଦନ କରିଛନ୍ତି। ଅଭିଯୋଗ ଆଧାରରେ ଯାଜପୁର ଥାନାରେ ଏକ ମାମଲା (ନଂ.୧୮୦/୨୦୨୦) ରୁଜୁ ହୋଇ ତଦନ୍ତ ଚାଲିଥିବା ଆଇଆଇସି ଆଶିଷ କୁମାର ସାହୁ ପ୍ରକାଶ କରିଛନ୍ତି।