କୋଭିଡ-୧୯ ସମୟରେ ଆନନ୍ଦପୁର ଅଞ୍ଚଳରେ ବଢ଼ୁଛି ଚୋରି ଘଟଣା

ଆନନ୍ଦପୁର,୧୩। ୬(ସ୍ବ.ପ୍ର.): କୋଭିଡ-୧୯ ସମୟରେ କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଞ୍ଚଳରେ ଚୋରି ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି। ତିନି ମାସ ତଳେ ଫକୀରପୁର ଅଞ୍ଚଳରେ ଥିବା ଦୁଇଟି ଦୋକାନରୁ ଚୋରି ହୋଇଥିବା ବେଳେ ଶୁକ୍ରବାର ରାତିରେ ଆନନ୍ଦପୁର ବ୍ରିଜଛକଠାରେ ଏକ ପାନ ଦୋକାନରୁ ଚୋରି ହୋଇଥିବା ଜଣାପଡିଛି। ଦୁର୍ବୃତ୍ତମାନେ ପାନ ଦୋକାନରୁ ପାଖାପାଖି ୮ ହଜାର ଟଙ୍କାର ସାମଗ୍ରୀ ନେଇଯାଇଥିବା ବ୍ୟବସାୟୀ ଅଭିଯୋଗ କରିଛନ୍ତି। କୋଭିଡ-୧୯ ପାଇଁ ରଜ ଉତ୍ସବ ଉପଲକ୍ଷେ ନୂତନ ନିୟମ ଲାଗୁ କରାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ଛାଡି ଅନ୍ୟ ଦୋକାନଗୁଡ଼ିକ ଅପରାହ୍ନ ୨ରେ ବନ୍ଦ ରଖିବାକୁ ନିୟମ ହୋଇଛି। ଏହି କ୍ରମରେ ବ୍ୟବସାୟୀ ଜଣକ ଦିନ ୨ ଟାରେ ଦୋକାନ ବନ୍ଦ କରି ଘରକୁ ଫେରିଥିଲେ। ରାତି ପ୍ରାୟ ୯ ଟା ସମୟରେ ଦୋକାନରୁ ଚୋରି ହୋଇଥିବା ସମ୍ପର୍କରେ ସୂଚନା ମିଳିଥିଲା। ଖବରପାଇ ଆନନ୍ଦପୁର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।