Categories: ବାଣିଜ୍ୟ

କୋଭିଡ ମୁକାବିଲା; ଓ୍ବାର ଚେଷ୍ଟରେ ୬୦ ହଜାର କୋଟିର ପାଣ୍ଠିି

ନୂଆଦିଲ୍ଲୀ,୧। ୪: କୋଭିଡ୍‌ ଲଢେଇ ମୁକାବିଲା ଲାଗି ସରକାର ପଦକ୍ଷେପ ଜାରି ରଖିଛନ୍ତି। ଏବେ ଜରୁରୀକାଳୀନ ପାଣ୍ଠି ବା ଓ୍ବାର ଚେଷ୍ଟରେ ପ୍ରାୟ ୬୦ ହଜାର କୋଟି ଟଙ୍କାର ପାଣ୍ଠି ରହିଛି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସ୍‌ଡିଆର୍‌ଏଫ୍‌)ରେ ୩୦ ହଜାର କୋଟି ଟଙ୍କା ରହିଛି। ଏହାବାଦ ସମାନ ପରିମାଣର ଅର୍ଥ ୨୦୨୦-୨୧ ଆର୍ଥତ୍କ ବର୍ଷରେ ବିପର୍ଯ୍ୟୟ ମୁକାବିଲା ଲାଗି ସରକାର ପ୍ରଦାନ କରିଥିବା ଜଣାପଡିଛି। ଏହାବାଦ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ଆସୁଥିବା ଦାନ ଅର୍ଥ ଏଥିରେ ଖର୍ଚ୍ଚ କରିବାକୁ ଯୋଜନା ରଖାଯାଇଛି। ସୂଚନା ମୁତାବକ ମାର୍ଚ୍ଚ ୩୦ ସୁଦ୍ଧା ଏସ୍‌ଡିଆର୍‌ଏଫ୍‌ରେ ରାଜ୍ୟଗୁଡିକ ନିକଟରେ ୩୦ ହଜାର କୋଟି ଟଙ୍କା ରହିଛି। ଜାତୀୟ ବିପର୍ଯ୍ୟୟ ଏବଂ ରାଜ୍ୟ ବିପର୍ଯ୍ୟୟ ପାଣ୍ଠି ଅର୍ଥ ଖର୍ଚ୍ଚ ନ ହୋଇ ପାରିଲେ ଏହା ସେହିଭଳି ରହିଥାଏ ଯାହା ପୁଣି ଥରେ ପ୍ରଦାନ କରାଯାଇଥିବା ପାଣ୍ଠି ସହ ମିଶିଥାଏ। ୨୦୨୭-୧୮ ପରଠାରୁ ସରକାର ବିପର୍ଯ୍ୟୟ ପରିଚାଳନା ଏବଂ ପୁନର୍ବାସ ଲାଗି ୮୦ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହା ମଧ୍ୟରେ ଏସ୍‌ଡିଆର୍‌ଏଫ୍‌ ପାଇଁ ୫୦ ହଜାର କୋଟି ଟଙ୍କା ଏବଂ ଏନ୍‌ଡିଆର୍‌ଏଫ୍‌ ପାଇଁ ୩୦,୨୮୫ କୋଟି ଟଙ୍କା ରହିଛି। କରୋନା ଲାଗି ମଧ୍ୟ ଏସ୍‌ଡିଆର୍‌ଏଫ୍‌ ପାଣ୍ଠି ଖର୍ଚ୍ଚ କରାଯିବ ବୋଲି ସରକାର କହିଛନ୍ତି। ଗତବର୍ଷ ଏସ୍‌ଡିଆର୍‌ଏଫ୍‌କୁ ସରକାର ୧୩,୪୬୫ କୋଟି ଟଙ୍କା ପ୍ରଦାନ କରିଥିଲେ। ଏହାବାଦ ଓଡିଶା ସମେତ ୮ ରାଜ୍ୟକୁ ଏନ୍‌ଡିଆର୍‌ଏଫ୍‌ରୁ ୧୪ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଅର୍ଥ ପ୍ରଦାନ କରାଯାଇଥିଲା। ଅନ୍ୟ ରାଜ୍ୟଗୁଡିକ ମଧ୍ୟରେ ମହାରାଷ୍ଟ୍ର, କର୍ନାଟକ, ମଧ୍ୟପ୍ରଦେଶ, ରାଜସ୍ଥାନ, ହିମାଚଳ ପ୍ରଦେଶ, ବିହାର, ଆନ୍ଧ୍ର ପ୍ରଦେଶ ରହିଛନ୍ତି। ବନ୍ୟା ସ୍ଥିତି ମୁକାବିଲା ଲାଗି ଏହି ଅର୍ଥ ପ୍ରଦାନ କରାଯାଇଥିଲା।

Share