କୋଭିଡ୍‌-୧୯ ସଙ୍ଗରୋଧ ସ୍ଥଳ ବୁଲି ରନ୍ଧାଖାଦ୍ୟର ମାନ ପରଖିଲେ ଜିଲାପାଳ

ଭଟ୍‌ଲି,୧୧।୪(ଡି.ଏନ୍‌.ଏ.): ବର୍ତ୍ତମାନ ଅଧିକାଂଶ ସ୍ଥାନରେ କୋଭିଡ୍‌-୧୯ ପାଇଁ ଅସହାୟମାନଙ୍କୁ ସରକାରଙ୍କ ପକ୍ଷରୁ ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯାଉଥିବା ବେଳେ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏହି ବ୍ୟବସ୍ଥାକୁ ପ୍ରତ୍ୟକ୍ଷ ଭାବେ ତଦାରଖ କରୁଛନ୍ତି। ତେବେ ଶନିବାର ବରଗଡ଼ ଜିଲାପାଳ ଜ୍ୟୋତିରଞ୍ଜନ ପଧାନ ଏହି ମର୍ମରେ ଭଟଲି ବ୍ଲକ୍‌ର ବିଭିନ୍ନ ସଙ୍ଗରୋଧ ସ୍ଥଳ ଏବଂ ରନ୍ଧାଖାଦ୍ୟ ବ୍ୟବସ୍ଥାର ତଦାରଖ କରି ମାନ ଯାଞ୍ଚ କରିଥିଲେ। ସେ ଭଟଲି ପଞ୍ଚାୟତ ଅନ୍ତର୍ଗତ ଶାନ୍ତି ସରକାରୀ ବାଳିକା ଉପ୍ରା ବିଦ୍ୟାଳୟ ଗସ୍ତ କରି ସେଠାରେ ଅସହାୟଙ୍କ ପାଇଁ ରନ୍ଧା ହେଉଥିବା ଖାଦ୍ୟର ମାନ ଯାଞ୍ଚ କରିବା ସହିତ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ପିଡିଏସ୍‌ ଚାଉଳ ବଣ୍ଟନ ବ୍ୟବସ୍ଥା ପରଖିଥିଲେ। ଏହାସହିତ ପିଡିଏସ୍‌ ସେଣ୍ଟରରେ ହିତାଧିକାରୀଙ୍କ ପାଇଁ ଉଚିତ ବ୍ୟବସ୍ଥା କରିବା ପାଇଁ ଇଓ ଗୋବର୍ଦ୍ଧନ ମେହେର ଏବଂ ସରପଞ୍ଚ କିଶୋର ଚନ୍ଦ୍ର ବେହେରାଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ତଜାଗୋଲା, କମଗାଁ, କୋଶାଇପାଲି, ହାଲୁପାଲି ଆଦି ପଞ୍ଚାୟତର ବ୍ୟବସ୍ଥା ପରଖିବା ସହିତ କେଲେଣ୍ଡାପାଲି ପଞ୍ଚାୟତର କନକବିରା, ହାତୀସର ପଞ୍ଚାୟତର ଝାଙ୍କରପାଲି ଆଦି କେନ୍ଦ୍ର ବୁଲି ଦେଖିଥିଲେ। ଏଥିସହ ପ୍ରତ୍ୟେକ ପଞ୍ଚାୟତର ସଙ୍ଗରୋଧ ସ୍ଥଳୀ ନକଟରେ ଗୋଟିଏ ଖାଲି କୋଠରି ପ୍ରସ୍ତୁତ କରି ରଖିବାକୁ ପରାମର୍ଶ ଦେଇଥିଲେ। ଶେଷରେ କାର୍ଯ୍ୟର ତ୍ୱରାନ୍ବିତ ଦିଗ ପ୍ରତି ବିଶେଷ ଧ୍ୟାନ ଦେବାକୁ ବିଡିଓ ଧୀରେନ୍ଦ୍ର କୁମାର ସେଠୀଙ୍କୁ ପରାମର୍ଶ ଦେଇଥିଲେ।