କୋଟି କୋଟି ଟଙ୍କାର ବିଦ୍ୟୁତ୍‌ ବିଲ୍‌ ବାକି

ରେମୁଣା, ୪।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ରେମୁଣା ବାଲଗୋପାଲପୁରସ୍ଥିତ ବୃହତ୍‌ ଶିଳ୍ପାନୁଷ୍ଠାନ ବାଲେଶ୍ୱର ଆଲଏଜର ଭାଗ୍ୟ ଅନ୍ଧକାର ଆଡ଼କୁ ଠେଲି ହୋଇଯାଇଛି। ବିଦ୍ୟୁତ୍‌ ଯୋଗାଣକାରୀ କମ୍ପାନୀ ‘ନେସ୍କୋ’ କାରଖାନାକୁ ମଙ୍ଗଳବାର ସନ୍ଧ୍ୟାରୁ ବିଦ୍ୟୁତ୍‌ ଯୋଗାଣ ବନ୍ଦ କରିଦେଇଛି। କାରଖାନା ବ୍ୟବହାର କରୁଥିବା ବିଦ୍ୟୁତ୍‌ ବାବଦ ବିଲ୍‌ ପୈଠ କରୁ ନ ଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା ନେସ୍କୋ ଅଧିକାରୀ ବ୍ରଜସୁନ୍ଦର ପରିଡ଼ା ସୂଚନା ଦେଇଛନ୍ତି। ଫଳରେ କାରଖାନାର ଉପତ୍ାଦନ ବାଧାପ୍ରାପ୍ତ ହୋଇଛି। ଏହାଦ୍ୱାରା ୫ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ ଏବଂ କର୍ମଚାରୀଙ୍କ ପରିବାର ଆଶଙ୍କା ମଧ୍ୟରେ ଅଛନ୍ତି। କାରଖାନା ଉପରେ ୧୬୫.୫ କୋଟି ଟଙ୍କାର ବିଦ୍ୟୁତ୍‌ ବିଲ ବକେୟା ରହିଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା ନେସ୍କୋ ପକ୍ଷରୁ ସୂଚନା ଦିଆଯାଇଛି।
କାରଖାନାର ୫ଟି ଫର୍ନେସ ପାଇଁ ୧୩୨କେଭିର ପାୱାର ଆବଶ୍ୟକ ହୋଇଥାଏ। ପ୍ରତିମାସ ଏଥିପାଇଁ କାରଖାନାକୁ ପ୍ରାୟ ୧୩ କୋଟି ଟଙ୍କାର ବିଲ୍‌ ଆସିଥାଏ। ବକେୟା ବିଲ ପୈଠ ନ କରିବାରୁ କାରଖାନାକୁ ବିଦ୍ୟୁତ୍‌ କାଟି ଦିଆଯାଇଥିବା କାରଖାନା କର୍ତ୍ତୃପକ୍ଷ ସ୍ବୀକାର କରିଛନ୍ତି । ମାଇନ୍ସ ଅଭାବ କାରଣରୁ କାରଖାନାର ଉପତ୍ାଦନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଅନ୍ୟପକ୍ଷରେ ବାଲେଶ୍ୱର ଆଲଏଜ କାରଖାନାରେ ଦୀର୍ଘ ୧୫ରୁ ୨୦ ବର୍ଷ ଧରି କାମ କରୁଥିବା ଶ୍ରମିକଙ୍କୁ ଛଟେଇ କରାଯାଉଥିବା ଏବଂ ନିୟମାନୁଯାୟୀ ୩ବର୍ଷରେ ଥରେ ନୂଆ ଚୁକ୍ତିନାମା କାର୍ଯ୍ୟକାରୀ କରାଯାଉ ନ ଥିବାରୁ ଏହାର ପ୍ରତିବାଦ କରି ଇସ୍ପାତ ଆଲଏଜ ଏମ୍ପ୍ଲୋୟିଜ୍‌ ୟୁନିୟନ ପକ୍ଷରୁ ମଙ୍ଗଳବାର କାରଖାନା ସମ୍ମୁଖରେ ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରମିକମାନେ ୟୁନିୟନ ସଭାପତି ସୁଧୀର ମଙ୍ଗରାଜଙ୍କ ନିକଟରେ ସେମାନଙ୍କ ଦାବି ଉପସ୍ଥାପନ କରିଥିଲେ। ପରେ ମଙ୍ଗରାଜଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ କାରଖାନା ନିର୍ଦ୍ଦେଶକ ଏବଂ ସିଏସ୍‌ଆର୍‌ ମୁଖ୍ୟଙ୍କୁ ଭେଟି ସମ୍ପୃକ୍ତ ବିଷୟ ଉପରେ ଆଲୋଚନା କରିଥିଲେ। କାରଖାନା କର୍ତ୍ତୃପକ୍ଷ ଠିକାଦାରଙ୍କ ଅଧୀନରେ କାମ କରୁଥିବା ଅଭିଜ୍ଞ ଶ୍ରମିକଙ୍କୁ ଛଟେଇ କରି ନୂଆ ଶ୍ରମିକଙ୍କୁ ନିଯୁକ୍ତି ଦେଉଥିବାରୁ ୟୁନିୟନ୍‌ ପକ୍ଷରୁ ପ୍ରତିବାଦ କରାଯାଇଥିଲା। ତେବେ ନିୟମାନୁଯାୟୀ ପଦକ୍ଷେପ ନିଆଯିବ ବୋଲି କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିବା ମଙ୍ଗରାଜ ସୂଚନା ଦେଇଛନ୍ତି।