କୋଟାରୁ ଫେରିଲେ ୫୪ ଛାତ୍ରୀଛାତ୍ର

ବାଲେଶ୍ୱର ଅଫିସ,୩।୫-କରୋନା ଲାଗି ସମଗ୍ର ଦେଶରେ ଲକ୍‌ଡାଉନ ଅବଧି ବୃଦ୍ଧି କରାଯାଇଛି। ଏହି ସମୟରେ ବାହାରେ ରହିଯାଇଥିବା ଶ୍ରମିକ, ଛାତ୍ରୀଛାତ୍ର ଓ ତୀର୍ଥଯାତ୍ରୀମାନଙ୍କୁ ନିଜ ନିଜ ରାଜ୍ୟକୁ ଫେରିବାକୁ କେନ୍ଦ୍ରସରକାର ଅନୁମତି ପ୍ରଦାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜସ୍ଥାନ କୋଟା ସହରରେ ରହୁଥିବା ୫୪ ଛାତ୍ରୀଛାତ୍ର ଦୁଇଟି ବସ୍‌ ଯୋଗେ ରବିବାର ସନ୍ଧ୍ୟାରେ ବାଲେଶ୍ୱରରେ ପହଞ୍ଚିଛନ୍ତି। ସଂସ୍କୃତି, ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଓ ଏସ୍‌ପି ବି. ଯୁଗଳକିଶୋର କୁମାର ପହଞ୍ଚି ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିଥିଲେ। ସମସ୍ତ ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ୧୪ ଦିନ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶକ୍ରମେ ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଠାକୁର ରଞ୍ଜିତ ଦାସଙ୍କ ସଂଯୋଜନାରେ ଭାଜପା ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ଉକ୍ତ ଛାତ୍ରୀଛାତ୍ରଙ୍କୁ ରାସ୍ତାରେ ଭୋଜନ, ବିଶ୍ରାମ ସହିତ ଆନୁଷଙ୍ଗିକ ବ୍ୟବସ୍ଥା ଉପଲବ୍ଧ କରାଇଥିଲେ। ରୋଜା ପାଳନ କରୁଥିବା ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ପିଲାମାନେ ଫେରିବା ନେଇ ଅଭିଭାବକମାନଙ୍କର ଯେଉଁ ଆଶଙ୍କା ରହିଥିଲା ତାହାର ଅନ୍ତ ଘଟିଛି। ଏହାକୁ ଅଭିଭାବକଙ୍କ ପକ୍ଷରୁ ସ୍ବାଗତ କରାଯାଇଛି।