କୋଟାରୁ ଫେରିବା ପାଇଁ ଅନଶନରେ ବିହାର ଛାତ୍ରୀ

କୋଟା,୨୪।୪: କରୋନା ଭାଇରସ୍‌ ମୁକାବିଲା ପାଇଁ ଦେଶରେ ଲକ୍‌ଡାଉନ ଜାରି ରହିଛି। ଏଥିଯୋଗୁ ଯିଏ ଯେଉଁଠାରେ ଅଛନ୍ତି ସେଠାରେ ହିଁ ଫସି ହୋଇରହିଛନ୍ତି। ଇତିମଧ୍ୟରେ ରାଜସ୍ଥାନ କୋଟାରେ ମେଡିକାଲ ଓ ଇଞ୍ଜିନିୟରିଂ ପ୍ରବେଶ ପରୀକ୍ଷା ପାଇଁ କୋଚିଂ ନେଉଥିବା ପ୍ରାୟ ୪୦ହଜାର ଛାତ୍ରୀଛାତ୍ର ସେଠାରେ ଫସିରହିଥିବା ଜଣାପଡ଼ିଛି। ଏଥିରେ କେତେକ ବିହାରର ଛାତ୍ରୀ ମଧ୍ୟ ରହିଛନ୍ତି। ଏବେ ଏହି ଛାତ୍ରୀ ଘରକୁ ଫେରିବା ପାଇଁ ହଷ୍ଟେଲରେ ଅନଶନ ଆରମ୍ଭ କରିଛନ୍ତି। ସେମାନଙ୍କୁ ଘରକୁ ଆଣିବା ପାଇଁ ଏକ ବସ୍‌ ପଠାଇବାକୁ ପିଲାମାନେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ନିବେଦନ କରିଛନ୍ତି। ହଷ୍ଟେଲର ଛାତ ଉପରେ ହାତରେ ପ୍ଲାକାର୍ଡ ଧରି ଘରକୁ ଫେରିବା ପାଇଁ ପିଲାମାନେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିବା ଦେଖିବାକୁ ମିଳିଛି। ଏଥିସହ ସେମାନେ ମହାତ୍ମା ଗାନ୍ଧୀଙ୍କ ସିଦ୍ଧାନ୍ତକୁ ଦର୍ଶାଇ ଖରାପ୍‌ କଥା ଦେଖ ନାହିଁ, ଖରାପ୍‌ କଥା କୁହ ନାହିଁ ଓ ଖରାପ କଥା ଶୁଣ ନାହିଁର ଏକ ବାର୍ତ୍ତା ମଧ୍ୟ ଦେଇଛନ୍ତି। ନିବେଦନ କରୁଥିବା ସମୟରେ ପିଲାମାନେ ସାମାଜିକ ଦୂରତ୍ୱ ରକ୍ଷା କରିଥିବା ନଜର ଆସିଛି। ଅପରପକ୍ଷେ ବର୍ତ୍ତମାନ କୋଟାରୁ ପିଲାଙ୍କୁ ଆଣିବା ସମ୍ଭବପର ନୁହେଁ ବୋଲି ନୀତିଶ କୁମାର ସ୍ପଷ୍ଟ କରିସାରିଛନ୍ତି। କିଛି ଦିନ ପୂର୍ବରୁ ସେ ପିଲାଙ୍କୁ ଲକ୍‌ଡାଉନ ପାଳିବା ସହ ଯିଏ ଯେଉଁଠାରେ ଅଛ ସେଠାରେ ହିଁ ଥାଅ ବୋଲି କହିଥିଲେ।

Share