କେରୋନା ମୁକାବିଲା: ଫୁଟବଲ ପଡ଼ିଆ ହେଲା ହସ୍ପିଟାଲ

ଓ୍ବାଶିଂଟନ,୧୯।୩: ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଠାରେ ୨ଜଣ ସାଂସଦ ମାରିଆ ଡିଆଜ୍‌ ଏବଂ ବେନ୍‌ ମ୍ୟାକ୍‌୍‌ଆଦମ୍ସ୍‌ଙ୍କୁ ମଧ୍ୟ କରୋନା ସଂକ୍ରମଣ ହୋଇଛି। ସେମାନଙ୍କୁ ଆଇସୋଲେଶନ କରି ରଖାଯାଇଛି। ସଂକ୍ରମିତଙ୍କ ଚିକିତ୍ସା ଲାଗି ଓ୍ବାଶିଂଟନରେ ଥିବା କିଙ୍ଗ୍‌ କାଉଣ୍ଟି ଫୁଟବଲ ପଡ଼ିଆକୁ ଅସ୍ଥାୟୀ ହସ୍ପିଟାଲରେ ପରିଣତ କରାଯାଇଛି। ଏଠାରେ ୨୦୦ଟି ଶଯ୍ୟା ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଦେଶରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସରକାର ଜରୁରୀକାଳୀନ ବଜେଟ ଜାରି କରିବାର ସମ୍ଭାବନା ରହିଥିବା କୁହାଯାଉଛି। ତେବେ ଏଥିପାଇଁ ସିନେଟ୍‌ ଏବଂ କଂଗ୍ରେସ ମଧ୍ୟରେ ଆଲୋଚନା କରାଯିବାର ଆବଶ୍ୟକତା ରହିଛି। କିନ୍ତୁ ଜରୁରୀ ସ୍ଥିତିରେ ରାଷ୍ଟ୍ରପତି ନିଜର ବିଶେଷ ଅଧିକାରର ପ୍ରୟୋଗ କରି ବଜେଟ ଜାରି କରିପାରିବେ। ପରବର୍ତ୍ତୀ ସମୟରେ ସଂସଦରେ ଏହାକୁ ମଞ୍ଜୁରୀ ମିଳିବାର ନିୟମ ମଧ୍ୟ ରହିଛି। ଟ୍ରମ୍ପ୍‌ ନିଜର ବିଶେଷ ଅଧିକାରର ପ୍ରୟୋଗ କରିବେ ନା ଆଲୋଚନା ମାଧ୍ୟମରେ ବଜେଟ ଆଣିବେ ସେ ନେଇ ଚର୍ଚ୍ଚ ଜାରି ରହିଛି।

Share