କେରଳ କ୍ୱାରାଣ୍ଟାଇନ୍‌ରୁ ଫେରାର ଆଇଏଏସ୍‌ ଅଧିକାରୀ ଉତ୍ତରପ୍ରଦେଶରୁ ଠାବ

ତିରୁଭାନନ୍ତମପୁରମ,୨୭।୩: କରୋନା ଭାଇରସ୍‌ ବ୍ୟାପିବାକୁ ଥିବା ଶୃଙ୍ଖଳକୁ ଭାଙ୍ଗିବା ପାଇଁ କେନ୍ଦ୍ର ସରକାର ସାରା ଦେଶରେ ଲକ୍‌ ଡାଉନ୍‌ ଜାରି କରିଛନ୍ତି। କିନ୍ତୁ ଏହାରି ଭିତରେ ଜଣେ ଜୁନିୟର ଆଇଏଏସ୍‌ ଅଧିକାରୀ ଏହି ନିୟମର ମଜାକ ଉଡାଇବା ସହ କ୍ୱାରାଣ୍ଟାଇନ୍‌ରୁ ଫେରାର ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ନିକଟରେ ୨୦୧୬ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ଅନୁପ ଶର୍ମା କେରଳର କୋଲ୍ଲମ ଜିଲାରେ ଉପ ଜିଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଇଥିଲେ। ସେହି ସମୟରେ ବରିଷ୍ଠ ଅଧିକାରୀଙ୍କୁ ଜଣାଇଥିଲେ ଯେ, ନିକଟରେ ସେ ସିଙ୍ଗାପୁରରୁ ଫେରିଛନ୍ତି। ଏହାପରେ ସତର୍କତା ଦୃଷ୍ଟିରୁ ବରିଷ୍ଠ ଅଧିକାରୀ ୭୦ କିଲୋମିଟର ଦୂର କୋଲ୍ଲମସ୍ଥିତ ସରକାରୀ ବାସଭବନରେ ତାଙ୍କୁ କ୍ୱାରାଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସେଠାରୁ ସେ କାହାକୁ କିଛି ନ ଜଣାଇ ଉତ୍ତରପ୍ରଦେଶର କାନପୁରରେ ଥିବା ତାଙ୍କ ବାସଭବନକୁ ପଳାଇଥିଲେ। ଏନେଇ ଗୁରୁବାର ପ୍ରଶାସନକୁ ଜଣାପଡ଼ିବା ପରେ ତାଙ୍କୁ ଖୋଜାଖୋଜି କରିଥିଲେ। ତେବେ ପୋଲିସର ସହାୟତାରେ ଅନୁପ କାନପୁରରେ ଥିବା ଜଣାପଡ଼ିଛି। ଏନେଇ ଶୁକ୍ରବାର କେରଳ ଜିଲାପାଳ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଅନୁପ ସମସ୍ତ ପ୍ରୋଟୋକଲ୍‌କୁ ଉଲ୍ଲଂଘନ କରିଛନ୍ତି। ତାଙ୍କର ଏହି କାର୍ଯ୍ୟକଳାପ ବିଷୟରେ ରାଜ୍ୟ ସରକାରଙ୍କୁ ଜଣାଇଦିଆଯାଇଛି। ତାଙ୍କ ବିରୋଧରେ ଆଗାମୀ କାର୍ଯ୍ୟାନୁଷ୍ଠାନ ସରକାର ଗ୍ରହଣ କରିବେ ବୋଲି ଜିଲାପାଳ କହିଛନ୍ତି।

Share