ନୂଆଦିଲ୍ଲୀ,୧୪।୫: କେରଳମ୍ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବାର ପ୍ରାୟ ୧୦ ଦିନ ପରେ ଆଜି କଂଗ୍ରେସ ମୁଖ୍ୟମନ୍ତ୍ରୀ ନାଁ ଘୋଷଣା କରିଛି। ଭିଡି ସତିସନ କେରଳର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ଏହା ପୂର୍ବରୁ ଶୀର୍ଷ କଂଗ୍ରେସ ନେତାମାନଙ୍କର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ରାହୁଲ ଗାନ୍ଧୀଙ୍କ ସହିତ ଦଳର ଅନ୍ୟ ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ। ଏହି ବୈଠକ ପରେ ଭିଡି ସତିସନଙ୍କ ନାଁ ଘୋଷଣା କରାଯାଇଥିଲା।
୧୪୦ ସଦସ୍ୟ ବିଶିଷ୍ଟ କେରଳ ବିଧାନସଭାରେ ୧୦୨ ଆସନ ଜିତି କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ବହୁମତ ହାସଲ କରିଥିଲା। ଭିଡି ସତିସନଙ୍କ ବ୍ୟତୀତ ରମେଶ ଚେନ୍ନିଥଲା ଏବଂ କେସି ଭେନୁଗୋପାଳ ମଧ୍ୟ କେରଳର ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୌଡ଼ରେ ଥିଲେ। ଶେଷ ପର୍ଯ୍ୟାୟ ଆଲୋଚନା ପରେ ଭିଡି ସତିସନଙ୍କ ନାଁ ଚୂଡ଼ାନ୍ତ ହୋଇଥିଲା।
ବିରୋଧୀ ଦଳ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣାରେ ବିଳମ୍ବ ପାଇଁ କଂଗ୍ରେସକୁ ସମାଲୋଚନା କରିଥିଲେ ଏବଂ ଦଳ ଭିତରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଥିଲା। ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ବିରୋଧରେ ୱାୟାନାଡରେ ଜିଲା କଂଗ୍ରେସ କାର୍ଯ୍ୟାଳୟ ନିକଟରେ ପୋଷ୍ଟର ଲଗାଯାଇଥିଲା। ସେମାନେ ଅଭିଯୋଗ କରିଥିଲେ ଯେ, ରାଜ୍ୟରେ ପ୍ରଚଳିତ ସରକାର ବିରୋଧୀ ଭାବନା ସତ୍ତ୍ୱେ ଉଭୟ ନେତା କେସି ଭେନୁଗୋପାଳଙ୍କୁ କେରଳମ୍ର ମୁଖ୍ୟମନ୍ତ୍ରୀ କରିବାକୁ ଚେଷ୍ଟା କରୁଛନ୍ତି।

