କେବିସି ମଞ୍ଚରେ ଭାବୁକ ହେଲେ ଅମିତାଭ, ଆଖି ହେଲା ଓଦା

ମୁମ୍ବାଇ: ଶୁକ୍ରବାର ଅର୍ଥାତ ଅକ୍ଟୋବର ୧୧ ହେଉଛି ମହାନାୟକ ଅମିତାଭ ବଚ୍ଚନଙ୍କ ଜନ୍ମଦିବସ। ୭୭ ବର୍ଷରେ ପାଦ ଦେବେ ବିଗ୍‌ ବି। ଏହି ଦିନଟକୁ ଆହୁରୀ ସ୍ବତନ୍ତ୍ର କରିବା ଲାଗି ପ୍ରଶଂସକ ତଥା ତାଙ୍କ ସହ ବ୍ୟକ୍ତିଗତ ଭାବେ ଜଡିତ ଲୋକମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ତେବେ ଅମିତାଭ ଦୀର୍ଘ ଦଶ ବର୍ଷ ଧରି ଟେଲିଭିଜନ୍‌ର ଲୋକପ୍ରିୟ ଶୋ’ ‘କୌନ ବନେଗା କରୋଡପତି’ ସହ ଜଡିତ ରହିଛନ୍ତି। ଏହି ମଞ୍ଚରେ ଅମିତାଭଙ୍କ ଜନ୍ମଦିନକୁ ଧୁମ୍‌ଧାମ୍‌ରେ ପାଳନ କରାଯାଇଛି। ଏହାର ଏକ ଭିଡିଓ ସୋନିର ଆଧିକାରିକ ଟୁଇଟ୍‌ର ହ୍ୟାଣ୍ଡେଲରେ ଶେୟାର କରାଯାଇଛି। ଏଥିରେ ଅମିତାଭଙ୍କୁ ଭାବୁକ ହେଉଥିବା ଦେଖିବାକୁ ମିଳିଛି।

ଚଳିତ ବର୍ଷ କେବିସି ମଞ୍ଚରେ ପୁରୁଣା ଦିନର ଏକ ଦୃଶ୍ୟ ଦେଖାଯାଇଥିଲା। ଏଥିରେ ଅମିତାଭଙ୍କ ବାପା ତଥା ଲୋକପ୍ରିୟ କବି, ଲେଖକ ହରିବଂଶରାୟ ବଚ୍ଚନ ଏକ ସଭାକୁ ସମ୍ବୋଧିତ କରୁଥିଲେ। ଭିଡିଓକୁ ଦେଖି କିଛି ସମୟ ପାଇଁ ଚୁପ୍‌ ହୋଇଯାଇଥିଲେ ଅମିତାଭ। ଆଖି ଓଦା ହୋଇଯାଇଥିଲା ତାଙ୍କର। ଭିଡିଓଟି ଶେଷ ହେବା ପରେ ଅମିତାଭ କେବିସିର ସଦସ୍ୟମାନଙ୍କୁ ଧନ୍ୟବାଦ ଦେଇଥିଲେ। ସ୍ନେହ ଛଳରେ କହିଥିଲେ ଯେ, ଏମାନେ ସବୁବର୍ଷ ମୋତେ ଭାବୁକ କରିଦେଉଛନ୍ତି। ବାପାମା’ ତ ଆଉ ନାହାନ୍ତି। କେଜାଣି କେଉଁଠୁ ତାଙ୍କର ଛବି ସେ ନେଇ ଆସୁଛନ୍ତି। ମୋତେ ଭାବୁକ କରିଦେଉଛି। ଏହାପରେ ଅମିତାଭ ଖେଳିବାକୁ ଇଚ୍ଛା ନାହିଁ ବୋଲି ପ୍ରକାଶ କରନ୍ତି। ହେଲେ କିଛି ସମୟ ପରେ ଖେଳ ଚାଲିଥିଲା। ତେବେ ଏହି ଏପିସୋଡଟି ଶୁକ୍ରବାର ରାତି ୯ଟାରେ ଚ୍ୟାନେଲ୍‌ରେ ପ୍ରସାରିତ ହେବ।

Share