କେବିସିରେ ‘ସିନ୍ଧୁତାଇ’, ପାଦ ଛୁଇଁ ସ୍ବାଗତ କଲେ ଅମିତାଭ

ମୁମ୍ବାଇ: ଆରମ୍ଭ ହୋଇଛି ସୋନି ଚ୍ୟାନେଲରେ ପ୍ରସାରିତ ଲୋକପ୍ରିୟ ରିଆଲିଟି ଶୋ’ ‘କୌନ୍‌ ବନେଗା କରୋଡ଼ପତି’। ସୁପରଷ୍ଟାର ଅମିତାଭ ଏଥର ମଧ୍ୟ ଶୋ’ ହୋଷ୍ଟ ଭାର ସମ୍ଭାଳିଛନ୍ତି। ତେବେ ଶୁକ୍ରବାର ପ୍ରସାରିତ ହେବାକୁ ଥିବା ଏପିସୋଡ୍‌ରେ ଅମିତାଭ ଜଣେ ମହିଳାଙ୍କୁ ସମ୍ମାନ ପୂର୍ବକ ସ୍ବାଗତ କରିବା ସହ ପାଦ ଛୁଇଁ ଆଶୀର୍ବାଦ ନେଉଥିବା ଦେଖିବାକୁ ମିଳିବ। ଚ୍ୟାନେଲ୍‌ର ଅଧିକାରୀଙ୍କ ଟୁଇଟର ହ୍ୟାଣ୍ଡେଲରେ ଏ ନେଇ ଭିଡିଓ ଶେୟାର ହେବା ପରେ ମହିଳା ଜଣଙ୍କ କିଏ ସେ ନେଇ ଚର୍ଚ୍ଚା ଜୋର ଧରିଛି।

ମହିଳା ଜଣଙ୍କ ହେଉଛନ୍ତି ମହାରାଷ୍ଟ୍ରର ପୁଣେରେ ରହୁଥିବା ସିନ୍ଧୁତାଇ ସପକାଲ। ପେସାରେ ସେ ଜଣେ ସମାଜସେବିକା। ଅନାଥ ପିଲାଙ୍କ ମା’ ହିସାବରେ ସେ ବେଶ ପରିଚିତ। ରାସ୍ତାକଡ଼ରେ ଫିଙ୍ଗି ଦିଆଯାଉଥିବା ଶିଶୁଙ୍କ ସେ ପାଲଟିଥାଆନ୍ତି ସାହାରା। ବୟସାଧିକ ହେଲେ ସୁଦ୍ଧା ଏବେ ବି ସେ ତାଙ୍କ ପ୍ରୟାସ ଜାରି ରଖିଛନ୍ତି। ଇତିମଧ୍ୟରେ ସେ ବାରଶହରୁ ଅଧିକ ଅନାଥ ସନ୍ତାନଙ୍କୁ ସାହାରା ଦେଇଛନ୍ତି। ଏଭଳି ମହାନ୍‌ କାମ ପାଇଁ ସେ ରାଷ୍ଟ୍ରପତି ପୁରସ୍କାରଠାରୁ ଆରମ୍ଭ କରି ୭୫୦ରୁ ଊର୍ଦ୍ଧ୍ୱ ପୁରସ୍କାରରେ ହୋଇଛନ୍ତି ସମ୍ମାନିତ।

କେବିସି ମଞ୍ଚରେ ସିନ୍ଧୁତାଇ ପହଞ୍ଚତ୍ବା ପରେ ଅମିତାଭ ତାଙ୍କୁ ସମ୍ମାନ ଜଣାଇ ହଟ୍‌ସିଟ୍‌ରେ ବସାଇଛନ୍ତି। ଏହାପରେ ଶୋ’ ସହ ଜଡ଼ିତ ପ୍ରଶ୍ନ ସହ ତାଙ୍କ ଜୀବନର ଅନେକ ଘାତପ୍ରତିଘାତ ସମ୍ପର୍କରେ ଅମିତାଭ ପ୍ରଶ୍ନ ପଚାରିଥିବା ଦେଖାଯାଉଛି। ତେବେ ଶାଶୁଘର ଲୋକେ ବାହାର କରିଦେବା ପରେ କିଭଳି ଭାବେ ତାଙ୍କ ଜୀବନରେ ପରିବର୍ତ୍ତନ ଆସିଲା, ସେ ଅନାଥଙ୍କ ‘ମା’ ପାଲଟିଲେ, ସେ ସବୁ ବିଷୟରେ ସିନ୍ଧୁତାଇ କହୁଥିବା ଦେଖିବାକୁ ମିଳିବ। ଏବେ ତାଙ୍କର ପରିବାର ବହୁତ ବଡ଼ ହୋଇଯାଇଛି। ୨୦୭ ଜଣ ଜ୍ୱାଇଁ, ୩୬ ଜଣ ବୋହୂ ଏବଂ ୧ ହଜାରରୁ ଅଧିକ ନାତିନାତୁଣୀଙ୍କୁ ନେଇ ସଂସାର ବେଶ ଭଲରେ ଚାଲିଛି ବୋଲି ସେ କହିଛନ୍ତି।

Share