Categories: ଜାତୀୟ

କେନ୍ଦ୍ର କ୍ୟାବିନେଟ୍‌ ସମ୍ପ୍ରସାରଣ ଖୁବ୍‌ଶୀଘ୍ର:ଫେରିପାରନ୍ତି ସୁରେଶ ପ୍ରଭୁ

ନୂଆଦିଲ୍ଲୀ,୪-୧୦(ଆଇଏଏନ୍‌ଏସ୍‌):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟର ପ୍ରଥମ ସମ୍ପ୍ରସାରଣ ଖୁବ୍‌ଶୀଘ୍ର ହେବାକୁ ଯାଉଛି। ଆଗାମୀ ୧୫ ଦିନ ମଧ୍ୟରେ ଏହି ସମ୍ପ୍ରସାରଣ ହେବ ବୋଲି ଏକ ସୂତ୍ରରୁ ଜଣାପଡିଥିବାବେଳେ ସୁରେଶ ପ୍ରଭୁଙ୍କୁ ପୁଣି ଥରେ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବା ସମ୍ଭାବନା ରହିଛି। ତାଙ୍କୁ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଦାୟିତ୍ୱ ମିଳିପାରେ। ଏବେ ଏହି ମନ୍ତ୍ରଣାଳୟ ପୀୟୂଷ ଗୋୟଲଙ୍କ ନିୟନ୍ତ୍ରଣରେ ରହିଛି। ମୋଦିଙ୍କ ପୂର୍ବ କ୍ୟାବିନେଟରେ ପ୍ରଭୁ ପ୍ରଥମେ ରେଳ ଓ ପରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଦାୟିତ୍ୱରେ ଥିଲେ। ଜି-୨୦ ସମ୍ମିଳନୀ ବେଳେ ସେ ଭାରତର ଶେର୍ପା ଭାବେ ଯୋଗ ଦେଇଥିଲେ।

ଦେଶର ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଦେବା ସହ ଜିଡିପି ଧାର୍ଯ୍ୟଲକ୍ଷ୍ୟଠାରୁ ହ୍ରାସ ପାଇଥିବାରୁ ପ୍ରଭୁଙ୍କ ଭଳି ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ରାଜନେତାଙ୍କୁ ପୁଣି ଥରେ କ୍ୟାବିନେଟକୁ ଫେରାଇ ଆଣିବା ଲାଗି ମୋଦି ଚିନ୍ତା କରୁଥିବା ଜଣାପଡିଛି। ଏବେ କେନ୍ଦ୍ର କ୍ୟାବିନେଟରେ ୫୮ ମନ୍ତ୍ରୀ ଥିବାବେଳେ ସେମାନଙ୍କ ମଧ୍ୟରୁ ୨୪ ଜଣଙ୍କୁ କ୍ୟାବିନେଟ ପାହ୍ୟା ମିଳିଛି। ଅଧିକାଂଶ ମନ୍ତ୍ରୀଙ୍କୁ ଏକାଧିକ ମନ୍ତ୍ରଣାଳୟ ଦାୟିତ୍ୱ ସମ୍ଭାଳିବାକୁ ପଡୁଛି। ନରେନ୍ଦ୍ର ସିଂ ତୋମାରଙ୍କୁ କୃଷି, କୃଷକ କଲ୍ୟାଣ ସମେତ ଗ୍ରାମାଞ୍ଚଳ ବିକାଶ ଓ ପଞ୍ଚାୟତିରାଜ ବିଭାଗ ମିଳିଛି। ସେହିପରି ରବିଶଙ୍କର ପ୍ରସାଦଙ୍କୁ ଆଇନ ଓ ନ୍ୟାୟ ସମେତ ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଦାୟିତ୍ୱ ପ୍ରଦାନ କରାଯାଇଛି। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେଲେ ଏହି ମନ୍ତ୍ରୀମାନଙ୍କ ଅତିରିକ୍ତ ବୋଝ କୋହଳ ହୋଇପାରିବ ବୋଲି କୁହାଯାଉଛି।

Share