Categories: ବାଣିଜ୍ୟ

କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫% ବଢିଲା

ନୂଆଦିଲ୍ଲୀ,୧୦-୧୦: କେନ୍ଦ୍ର ସରକାରଙ୍କ ୫୦ ଲକ୍ଷ କର୍ମଚାରୀ ଏବଂ ୬୫ ଲକ୍ଷ ପେନସନଭୋଗୀଙ୍କ ଲାଗି ଖୁସି ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା କ୍ୟାବିନେଟ ବୈଠକରେ କେନ୍ଦ୍ର କର୍ମଚାରୀ ଏବଂ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା(ଡିଏ)ରେ ୫% ବୃଦ୍ଧି ଘୋଷଣା କରାଯାଇଛି। ସରକାର ଦୀପାବଳି ପୂର୍ବରୁ ଏମାନଙ୍କୁ ଖୁସି ଖବର ଦେବା ସହ ମହଙ୍ଗା ଭତ୍ତାକୁ ୧୨ରୁ ୧୭%କୁ ବଢାଇଛନ୍ତି। ଏହାଦ୍ୱାରା ରାଜକୋଷ ଉପରେ ୧୬,୦୦୦ କୋଟି ଟଙ୍କାର ଅତିରିକ୍ତ ବୋଝ ପଡିବ ବୋଲି ଜଣାପଡିଛି। କ୍ୟାବିନେଟ କେନ୍ଦ୍ର କର୍ମଚାରୀଙ୍କ ଡିଏର ଅତିରିକ୍ତ କିସ୍ତି ଏବଂ ପେନସନଭୋଗୀଙ୍କ ଡିଅରନେସ୍‌ ରିଲିଫ(ଡିଆର୍‌) ପ୍ରଦାନକୁ ଅନୁମୋଦନ ଦେଇଥିବା ବେଳେ ଏହା ଚଳିତବର୍ଷ ଜୁଲାଇ ପହିଲାରୁ ଲାଗୁ ହେବ। ଦରଦାମ ବୃଦ୍ଧି ପ୍ରସଙ୍ଗକୁ ଧ୍ୟାନରେ ରଖି ଏଭଳି ଘୋଷଣା କରାଯାଇଥିବା ସରକାରଙ୍କ ପକ୍ଷରୁ ବିବୃତିରେ କୁହାଯାଇଛି।
୭ ବେତନ ଆୟୋଗଙ୍କ ପ୍ରସ୍ତାବ ଆଧାରରେ ଏଭଳି ନିଷ୍ପତ୍ତି ହୋଇଛି। ଏଭଳି ପଦକ୍ଷେପ ଦୀପାବଳି ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କ ଲାଗି ଖୁସି ଖବର ବୋଲି ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି। ଚଳିତ ବର୍ଷ ଜାନୁୟାରୀରେ ସରକାର ଡିଏ ଏବଂ ଡିଆର୍‌କୁ ୯%ରୁ ୧୨%କୁ ବଢାଇଥିଲେ। ନୂଆ ନିଷ୍ପତ୍ତି ଦ୍ୱାରା ଡିଏ ଏବଂ ଡିଆର୍‌ ବାବଦ ବୃଦ୍ଧି ଯୋଗୁ ରାଜକୋଷକୁ ବାର୍ଷିକ ୧୫,୯୦୯.୩୫ କୋଟି ଏବଂ ଚଳିତବର୍ଷ ଜୁଲାଇଠାରୁ ଫେବୃୟାରି ଯାଏ ୮ ମାସରେ ୧୦,୬୦୬.୩୫ କୋଟି ଟଙ୍କାର ପ୍ରଭାବ ପଡିବ। ଡିଏ ବୃଦ୍ଧି ନିଷ୍ପତ୍ତି ଯୋଗୁ ସରକାରଙ୍କୁ ବାର୍ଷିକ ପ୍ରାୟ ଅତିରିକ୍ତ ୮,୫୯୦.୨୦ କୋଟି ଏବଂ ଚଳିତ ବର୍ଷ ଜୁଲାଇ ଠାରୁ ୨୦୨୦ ଫେବୃୟାରୀ ଯାଏ ୫,୭୨୬ କୋଟି ଅତିରିକ୍ତ ଖର୍ଚ୍ଚ କରିବାକୁ ପଡିବ। ସେହିଭଳି ପେନସନଭୋଗୀଙ୍କ ଲାଗି ଡିଆର୍‌ରେ ବୃଦ୍ଧି ନିଷ୍ପତ୍ତି ଫଳରେ ବାର୍ଷିକ ଅତିରିକ୍ତ ୭,୩୧୯.୧୫ କୋଟି ଖର୍ଚ୍ଚ କରିବାକୁ ପଡିବ ବୋଲି ଆକଳନ କରାଯାଇଛି। ଚଳିତ ଆର୍ଥତ୍କ ବର୍ଷ ସରକାର ଏହି ବାଦବକୁ ଅତିରିକ୍ତ ୪,୮୭୦ କୋଟି ଟଙ୍କା ଖର୍ଚ୍ଚ କରିବେ। ସୂଚନାଯୋଗ୍ୟ, କର୍ମଚାରୀଙ୍କ ଏବଂ ପେନସନଭୋଗୀଙ୍କୁ ଦରଦାମ ବୃଦ୍ଧି ଯୋଗୁ ହେଉଥିବା ବେସିକ୍‌ ପେ ଏବଂ ପେନସନର ରିୟଲ ଭାଲ୍ୟୁ ହ୍ରାସକୁ ସୁରକ୍ଷିତ କରିବା ଲାଗି କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେଇଥାନ୍ତି। ଏହା ବର୍ଷକୁ ୨ଥର ଯଥା- ଜାନୁୟାରୀ ଏବଂ ଜୁଲାଇ ପହିଲାରେ ପରିବର୍ତ୍ତନ ହୋଇଥାଏ।

Share