Categories: ଜାତୀୟ

କେନ୍ଦ୍ରକୁ ୬,୮୧୩ କୋଟି ମାଗିଲା ମହାରାଷ୍ଟ୍ର

ନୂଆଦିଲ୍ଲୀ, ୧୪ା୮(ପି.ଟି.): ଦେଶର ୮ ରାଜ୍ୟରେ ବନ୍ୟା ପରିସ୍ଥିତି ଗମ୍ଭୀର ରୂପ ଧାରଣ କରିଥିବାବେଳେ ରିଲିଫ ଓ ଉଦ୍ଧାର କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଉଛି। ମଙ୍ଗଳବାର କେରଳ ଓ ମହାରାଷ୍ଟ୍ରରେ ପରିସ୍ଥିତି ଜଟିଳ ଥିବାବେଳେ କର୍ନାଟକରେ ସାମାନ୍ୟ ସୁଧାର ଆସିଛି। କେରଳରେ ବନ୍ୟା ଜନିତ ମୃତ୍ୟୁସଂଖ୍ୟା ୯୧ରେ ପହଞ୍ଚିଥିବାବେଳେ ୪୦ ଜଣ ନିଖୋଜ ଥିବା ଜଣାପଡ଼ିଛି। ୨.୫୨ ଲକ୍ଷ ଲୋକଙ୍କୁ ୧,୩୩୨ଟି ରିଲିଫ୍‌ କ୍ୟାମ୍ପରେ ରଖାଯାଇଛି। ମାଲାପୁରମ୍‌ ଓ ଓ୍ବାୟନାଡ଼ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି।
ସ୍ଥିତିରେ ସାମାନ୍ୟ ସୁଧାର ଆସିଥିବାବେଳେ ୬.୬୭ ଲକ୍ଷ ଲୋକ ଏବେ ବି ସ୍ଥାନାନ୍ତର ହୋଇ ଅଛନ୍ତି। ଅନେକ ସ୍ଥାନରେ ଜଳସ୍ତର କମିଥିଲେ ହେଁ ଲୋକଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ମଙ୍ଗଳବାର ଶିବମୋଗା ଗସ୍ତକରି ରିଲିଫ କ୍ୟାମ୍ପଗୁଡ଼ିକର କାର୍ଯ୍ୟ ତଦାରଖ କରିଛନ୍ତି। ବନ୍ୟାରେ ରାଜ୍ୟର ୪୮ ଲୋକ ପ୍ରାଣ ହରାଇଥିବାବେଳେ ଉତ୍ତର ଓ ଉପକୂଳ ଅଞ୍ଚଳ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। କେନ୍ଦ୍ର ତୁରନ୍ତ ୩ ହଜାର କୋଟି ଟଙ୍କା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି। ମହାରାଷ୍ଟ୍ରର କୋହ୍ଲାପୁର, ସତାରା ଓ ସାଙ୍ଗଲି ସ୍ଥିତି ଜଟିଳ ରହିଥିବାବେଳେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ପଡ୍‌ନବିିସ ରିଲିଫ୍‌ ଅପରେଶନକୁ ଗୁରୁତ୍ୱ ଦେଇଛନ୍ତି। କେନ୍ଦ୍ର ସରକାର ରାଜ୍ୟକୁ ୬,୮୧୩ କୋଟି ଟଙ୍କାର ରିଲିଫ୍‌ ପ୍ୟାକେଜ୍‌ ଯୋଗାଇ ଦେବାକୁ ସେ ଦାବି କରିଛନ୍ତି। ରାଜ୍ୟରେ ଏପର୍ଯ୍ୟନ୍ତ ବନ୍ୟା ମୃତ୍ୟୁସଂଖ୍ୟା ୪୩କୁ ବୃଦ୍ଧି ପାଇଛି। ପଡ୍‌ନବିସ ଓ କ୍ୟାବିନେଟ ମନ୍ତ୍ରୀମାନେ ମାସକର ଦରମା ବନ୍ୟା ପ୍ରପୀଡ଼ିତଙ୍କୁ ଦାନ କରିବାକୁ ସ୍ଥିର କରିଛନ୍ତି।

Share