Categories: ବାଣିଜ୍ୟ

କେନ୍ଦ୍ରକୁ ଶିବସେନାର ପରାମର୍ଶ;ଜେଟ୍‌ ଏୟାରଓ୍ବେଜ କର୍ମଚାରୀଙ୍କୁ ବଞ୍ଚାଅ

ମୁମ୍ବାଇ,୨୩-୪: ଜେଟ୍‌ ଏୟାରଓ୍ବେଜକୁ ଅଧିଗ୍ରହଣ କରି ଏହି ଏୟାରଲାଇନ କର୍ମଚାରୀଙ୍କୁ ବଞ୍ଚାଇବାକୁ ଶିବସେନା ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛି। ଦଳର ମୁଖପତ୍ର ‘ସାମ୍‌ନା’ର ସମ୍ପାଦକୀୟରେ ଲେଖାଯାଇଛି ଯେ, ବେକାରିଙ୍କର ଅଭିଶାପ ସ୍ବାଧ୍ୱୀଙ୍କ ଅଭିଶାପଠାରୁ ଅଧିକ ଶକ୍ତିଶାଳୀ। ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଏଟିଏସ୍‌ର ପୂର୍ବତନ ପ୍ରମୁଖ ହେମନ୍ତ କରକରେଙ୍କ ମୃତ୍ୟୁକୁ ନେଇ ସ୍ବାଧ୍ୱୀ ପ୍ରଜ୍ଞାଙ୍କ ମନ୍ତବ୍ୟ ପରେ ଶିବସେନା ପକ୍ଷରୁ ଉକ୍ତ ମନ୍ତବ୍ୟ ଦିଆଯାଇଛି। ସ୍ବାଧ୍ୱୀ କହିଥିଲେ ଯେ, ତାଙ୍କ ଅଭିଶାପ କାରଣରୁ କରକରେଙ୍କ ମୃତ୍ୟୁ ହୋଇଛି। ଶିବସେନା ପକ୍ଷରୁ କୁହାଯାଇଛି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହେରୁ ଏବଂ ଇନ୍ଦିରା ଗାନ୍ଧୀଙ୍କ ଦୂରଦର୍ଶିତାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ଶିକ୍ଷାଲାଭ କରନ୍ତୁ। ସେମାନେ ବୀମା ଏବଂ ଏୟାରଲାଇନ୍ସ ସେକ୍ଟରକୁ ଜାତୀୟକରଣ କରିଥିଲେ। ଶିବସେନାର କହିବାନୁଯାୟୀ, ସରକାର ଏୟାର ଇଣ୍ଡିଆକୁ ୨୯ ହଜାର କୋଟି ଟଙ୍କାର ସହାୟତା ଦେଇପାରିଲେ। ଜେଟ୍‌ ଏୟାରଓ୍ବେଜ ଓ କିଙ୍ଗଫିଶର ଭାରତୀୟ କମ୍ପାନୀ। ଜେଟ୍‌ ଏୟାରଓ୍ବେଜ ମାମଲାରେ ବମ୍ବେ ହାଇକୋର୍ଟ ହସ୍ତକ୍ଷେପ କରିବାକୁ ମନା କରିବା ନେଇ ଶିବସେନା ଆଶ୍ଚର୍ଯ୍ୟ ପ୍ରକଟ କରିଛି। କୌଣସି କମ୍ପାନୀକୁ ବଞ୍ଚାଇବା ଲାଗି ସରକାର ଓ ରିଜର୍ଭ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇପାରିବେ ନାହିଁ ବୋଲି ହାଇକୋର୍ଟ କହିଥିଲେ।

Share