କୃଷିଋଣ ଛାଡ଼ କରିବାକୁ ବିକ୍ଷୋଭ ସମାବେଶ

ବ୍ରହ୍ମପୁର ଅଫିସ,୪ା୮-ସିପିଏମ୍‌ର ଛାମୁଆ ସଂଗଠନ କୃଷକ ସଭା ପକ୍ଷରୁ ଶନିବାର ବ୍ରହ୍ମପୁର ଉପଜିଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ସମାବେଶ ହୋଇଥିଲା। ସ୍ବାମୀନାଥନ କମିଶନଙ୍କ ସୁପାରିସ ଅନୁସାରେ ସମସ୍ତ କୃଷିଜାତ ଉତ୍ପାଦନ ଖର୍ଚ୍ଚର ଦେଢ଼ଗୁଣା ଚାଷୀଙ୍କୁ ପ୍ରଦାନ ସହ ବିନିଯୋଗ ଖର୍ଚ୍ଚ ହ୍ରାସ ନିମନ୍ତେ ବିହନ, ସାର, କୀଟନାଶକ, କୃଷି ଯନ୍ତ୍ରପାତି ଓ କୃଷି ଉପକରଣର ରିହାତି ବୃଦ୍ଧି କରାଯିବା ସମେତ ୬ ଦଫା ଦାବି ନେଇ ଏହି ଆନ୍ଦୋଳନ କରାଯାଇଥିଲା। କୁକୁଡ଼ାଖଣ୍ଡି ଓ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନରୁ ଶତାଧିକ ଚାଷୀ ଏଥିରେ ସାମିଲ ହୋଇଥିଲେ। ଜିଲା କମିଟି ନେତା ବସନ୍ତ ନନ୍ଦ, ବିଦ୍ୟାଧର ଜେନା ଓ ବିଜୟ ବିଶୋୟୀ ନେତୃତ୍ୱ ନେଇଥିଲେ।
ଅନ୍ୟ ଦାବିଗୁଡ଼ିକ ମଧ୍ୟରେ ଗରିବ, ମଧ୍ୟମ ଚାଷୀ ଏବଂ ବୟସ୍କ କୃଷି ଶ୍ରମିକଙ୍କୁ ସରକାର ମାସିକ ୫ ହଜାର ଟଙ୍କା ଲେଖାଏ ପେନସନ ଦେବା, ପ୍ରକୃତ କୃଷକଙ୍କ ନାମରେ ଜମିଜମା ରେକର୍ଡ କରି ପଟ୍ଟା ପ୍ରଦାନ, ଜଙ୍ଗଲ ଜମି ଅଧିକାର ଆଇନ ୨୦୦୬କୁ ଠିକଣା ଭାବେ କାର୍ଯ୍ୟକାରୀ କରାଯିବା, ଚାଷୀଙ୍କ ସମସ୍ତ କୃଷିଋଣ ଛାଡ଼ କରାଯିବା ଅନ୍ତର୍ଭୁକ୍ତ। ଅପରପକ୍ଷରେ କୃଷକ ସପକ୍ଷବାଦୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀ ଏବଂ କୃଷକ ପରିବାର ପାଇଁ ସ୍ବାସ୍ଥ୍ୟ ବୀମା ଏବଂ ପଶୁ ସମ୍ପଦ ବୀମା ଯୋଜନା ସୁନିଶ୍ଚିତ କରାଯିବା ସହ ପ୍ରାକୃତିକ ବିପର୍ଯ୍ୟୟଜନିତ କ୍ଷତିପୂରଣ ପରିମାଣ ବୃଦ୍ଧି ଓ ଏ ସମ୍ପର୍କିତ ବକେୟା ପ୍ରାପ୍ୟ ତୁରନ୍ତ ପ୍ରଦାନ ଲାଗି ଦାବି କରାଯାଇଛି। ଦାବି ସମ୍ବଳିତ ସ୍ମାରକପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଉପଜିଲାପାଳଙ୍କୁ ଦିଆଯାଇଥିଲା।