କୁଜଙ୍ଗରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି

ଜଗତ୍‌ସିଂହପୁର ଅଫିସ୍‌,୩ା୧୨: ଜିଲା ପ୍ରଶାସନ ପକ୍ଷରୁ ସୋମବାର କୁଜଙ୍ଗ ବ୍ଲକ କାର୍ଯ୍ୟାଳୟ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ଅଭିଯୋଗ ଉପରେ ଶୁଣାଣି କରିଥିଲେ। ଶିବିରରେ ମୋଟ ୪୫୫ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିରୁ ବ୍ୟକ୍ତିଗତ ସମସ୍ୟା ସମ୍ପର୍କିତ ୪୨୦ଟି ଯଥା ଇନ୍ଦିରା ଆବାସ/ବିଜୁ ପକ୍କାଘର ୨୦୪, ଭତ୍ତା ୩୪, ରାଶନ କାର୍ଡ ୧୮, କାଳିଆ ଯୋଜନା ୭୬, ଜମିଜମା ସମ୍ପର୍କିତ ୨୨ ଓ ଅନ୍ୟାନ୍ୟ ୫୯ଟି ରହିଥିଲା। ଗାଁ ସମସ୍ୟା ସମ୍ପର୍କିତ ୨୪, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ପାଇଁ ୧୦, ରେଡକ୍ରସ୍‌ ପାଣ୍ଠିରୁ ସହାୟତା ପାଇଁ ୧ଟି ଦରଖାସ୍ତ ଗ୍ରହଣ କରାଯାଇଥିଲା। ୭ଟି ଅଭିଯୋଗର ତତ୍କାଳ ଫଏସଲା କରାଯାଇଥିଲା। ଶିବିରରେ ଏସ୍‌ପି ପ୍ରକାଶ ଆର୍‌, ପାରାଦୀପ ଅତିରିକ୍ତ ଜିଲାପାଳ କାହ୍ନୁଚରଣ ଧୀର, ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି, ଉପଜିଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି, ତହସିଲଦାର, ବିଡିଓ ପ୍ରମୁଖ ଉପସ୍ଥିତ ଥିଲେ।