Categories: କନ୍ଧମାଳ

କୁଇ ସମାଜ ସମନ୍ବୟ ସମିତି ପ୍ରତିଷ୍ଠା ଦିବସ

ଫୁଲବାଣୀ ଅଫିସ, ୨୧ା୧୧- ନ୍ଧମାଳ ଜିଲା କୁଇ ସମାଜ ସମନ୍ବୟ ସମିତି ପ୍ରତିଷ୍ଠା ଦିବସ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ପୂର୍ବରୁ ହୋଇ ଆସୁଥିବା ଦାବି ସମେତ ଅନ୍ୟାନ୍ୟ ଦାବି ଉପରେ ଗୁରୁତ୍ୱାରୋପ କରାଯାଇଛି। ବିଶେଷ କରି ବହୁ ଦିନରୁ ଲାଗି ରହିଥିବା ଜମିଜମା ସଂକ୍ରାନ୍ତ ବିବାଦର ତୁରନ୍ତ ସମାଧାନ, ଆଦିବାସୀଙ୍କୁ ସେମାନଙ୍କ ଜମି ପ୍ରଦାନ, ଜିଲାରେ ଅଧୋପତନ ମୁଖି ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରି ପିଲାମାନଙ୍କୁ ପ୍ରତିଯୋଗିତାତ୍ମକ ସମ୍ପନ୍ନ କରି ଗଢ଼ି ତୋଳିବା ଏବଂ ସମ୍ବିଧାନ ନିୟମ ଅନୁସାରେ ପେସା ଆଇନ ଲାଗୁ କରିବାକୁ କୁଇ ସମାଜ କର୍ମକର୍ତ୍ତା ଦାବି କରିଥିଲେ । ସେହିପରି ଜିଲାରେ ଗଞ୍ଜେଇ ଚାଷକୁ ଆଇନ ସମ୍ମତ କରି ଚାଷୀଙ୍କୁ ଲାଇସେନ୍ସ ପ୍ରଦାନ କରିବାକୁ ମଧ୍ୟ କୁହା ଯାଇଥିଲା। ଜିଲାରେ ଆଦିବାସୀଙ୍କ ପାଇଁ ଉଦ୍ଦିଷ୍ଟ ବାଳିକା ବିଦ୍ୟାଳୟରେ କେବଳ ମହିଳା ଶିକ୍ଷକ ଏବଂ କର୍ମଚାରୀଙ୍କୁ ନିଯୁକ୍ତିକୁ ପୁଣି ଦୋହରା ଯାଇଥିଲା ।
ପ୍ରତିଷ୍ଠା ଦିବସ ଉପଲକ୍ଷେ କୁଇ ସମାଜ କାର୍ଯ୍ୟାଳୟରୁ ଏକ ବିଶାଳ ରାଲି ବାହାରି ସହର ପରିକ୍ରମା କରିଥିଲା। ଆଦିବାସୀମାନେ ପାରମ୍ପରିକ ନୃତ୍ୟ ବାଦ୍ୟର ତାଳେ ତାଳେ ନାଚି ନାଚି ଆସି କରୋନେଶନ ପଡିଆରେ ପହଞ୍ଚିିଥିଲେ। ସେଠାରେ ଅନୁଷ୍ଠିତ ସଭାରେ କୁଇ ସମାଜ କର୍ମକର୍ତ୍ତା ଯୋଗଦେଇ ସେମାନଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ। ସରକାର ଆମର କିଛି ଦାବି ମାନିଛନ୍ତି। ସେହି ଅନୁସାରେ ପ୍ରଶାସନକୁ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ସେମାନେ କରୁନାହାନ୍ତି । ଜିଲାରେ ଜାଲ ଜାତିଗତ ପ୍ରମାଣପତ୍ର ଦେଇ ବହୁ ଚାକିରି ହାତେଇଛନ୍ତି । ସେମାନଙ୍କୁ ଆଜି ପର୍ଯ୍ୟନ୍ତ ଚିହ୍ନଟ କରାଯାଉନାହିଁ । ଅନୁସୂଚିତ ଜନଜାତି ଅଞ୍ଚଳରେ ପେସା ଆଇନ କଡାକଡି ଭାବେ ପାଳନ କରିବାକୁ କୁଇ ସମାଜ ସମନ୍ବୟ ସମିତି ସାଧାରଣ ସମ୍ପାଦକ ଲମ୍ବୋଦର କହଁର ଦାବି କରିଥିଲେ। କୁଇ ସମାଜ ଜିଲାସ୍ତରୀୟ କର୍ମକର୍ତ୍ତା ଏବଂ ଅନ୍ୟମାନେ ଯୋଗଦେଇ ସେମାନଙ୍କ ବକ୍ତବ୍ୟ ରଖିଥିଲେ। ସଭା ପୂର୍ବରୁ ଉପରୋକ୍ତ ଦାବି ସମ୍ପର୍କରେ ଏକ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁଙ୍କୁ ପ୍ରଦାନ କରାଯାଇଥିଲା ।