Categories: ଜାତୀୟ

କୀଟନାଶକ କାରଖାନାରେ ବିସ୍ଫୋରଣ: ୫ ମୃତ, ୫୭ ଆହତ

ଭାରୁଚ୍‌,୩ା୬: ଗୁଜରାଟର ଭାରୁଚ୍‌ ଜିଲା ଅନ୍ତର୍ଗତ ଦାହେଜସ୍ଥିତ ଆଗ୍ରୋ- କେମିକାଲ୍‌ ଫ୍ୟାକ୍ଟ୍ରିବଏଲରରେ ବୁଧବାର ବଡ଼ ଧରଣର ବିସ୍ଫୋରଣ ହୋଇଛି। ବିସ୍ଫୋରଣ ପରେ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲା। ଏଥିରେ ୫ ଜଣଙ୍କ ମୃତ୍ୟୁ ହେବା ସହ ୫୭ ଶ୍ରମିକ ଆହତ ହୋଇଥିବା ଜିଲାପାଳ ଏମ୍‌.ଡି. ମୋଦିଆ ସୂଚନା ଦେଇଛନ୍ତି। ସମସ୍ତ ଆହତଙ୍କୁ ଭାରୁଚ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ୧୫ଟି ଅଗ୍ନିଶମ ଗାଡ଼ି ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଥିଲେ। ଅପରାହ୍ନ ୪ଟା ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇଥିଲା। ଏହି ରାସାୟନିକ ନିଆଁ ବିଷାକ୍ତ ହୋଇଥିବାରୁ ପ୍ରତିକାର ବ୍ୟବସ୍ଥା ସ୍ବରୂପ ନିକଟବର୍ତ୍ତୀ ଲାଖି ଓ ଲୁଭାରା ଗ୍ରାମରୁ ପାଖାପାଖି ୪୮୦୦ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିଦିଆଯାଇଛି।
ଯଶସ୍ବୀ ରସାୟନ ପ୍ରା. ଲିଃ ନାମକ ଏହି କୀଟନାଶକ କାରଖାନାରେ ମଧ୍ୟାହ୍ନ ୧୨ଟାରେ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣର ପ୍ରକୃତ କାରଣ ଜଣାପଡି ନ ଥିବାବେଳେ ଫ୍ୟାକ୍ଟ୍ରିର ଷ୍ଟୋରେଜ୍‌ ଅଞ୍ଚଳରେ ନିଆଁ ଲାଗିଥିଲା ବୋଲି ଅଫିସରମାନେ କହିଛନ୍ତି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ଶବ୍ଦ ୨୦ କିଲୋମିଟର ପର୍ଯ୍ୟନ୍ତ ଶୁଣାଯାଇଥିଲା।

Share