କିରୋସିନରେ ଲୋକଙ୍କୁ ଠକେଇ

ବଡଗାଁ, ୨୭।୪ (ଡି.ଏନ.ଏ.): କରୋନା ମହାମାରି ଯୋଗୁ କାମ ହରାଇ ଶ୍ରମିକ, ଦିନ ମଜୁରିଆମାନେ ହାତବାନ୍ଧି ଘରେ ବସିଛନ୍ତି । ଏମାନଙ୍କ ପରିବାର ପ୍ରତିପୋଷଣ ପାଇଁ ସରକାର ଅଗ୍ରିମ ୩ ମାସର ଚାଉଳ ଓ ୧ ହଜାର ଟଙ୍କା ଯୋଗାଇ ଦେଇଛନ୍ତି । ଲୋକେ କିପରି ନିର୍ଦ୍ଧାରିତ ମୂଲ୍ୟରେ ଦୋକାନରୁ ସାମଗ୍ରୀ ପାଇବେ ଓ କଳାବଜାର ନ ହେବ ସେଥିପାଇଁ ଅଧିକାରୀମାନେ ରାସନ ଦୋକାନ ଗୁଡିକୁ ଯାଞ୍ଚ କରୁଛନ୍ତି। ହେଲେ ସରକାର ବଣ୍ଟନ କରିବାକୁ ଦେଇଥିବା ଖାଉଟି ସାମଗ୍ରୀକୁ ଲୋକଙ୍କ ଆର୍ଥତ୍କ ସ୍ଥିତି ଖରାପ ବେଳେ ମଧ୍ୟ ଅଧିକ ଦରରେ ବିକ୍ରି କରାଯାଛଉଛି। ଗରିବଙ୍କୁ ଶୋଷଣ କରାଯିବା ଭଳି ଘଟଣା ସୁନ୍ଦରଗଡ ଜିଲା ବଡଗାଁ ପଞ୍ଚାୟତରେ ଦେଖା ଦେଇଛି । ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଗ୍ରାମର କେତେକ ବ୍ୟକ୍ତି ସୁନ୍ଦରଗଡ ଉପଜିଲାପାଳ ଏବଂ ପିଡିଙ୍କଠାରେ ଏ ନେଇ ଅଭିଯୋଗ ମଧ୍ୟ କରିଛନ୍ତି।
ଏପ୍ରିଲ ୧୮ ତାରିଖ ୨ ହଜାର ଲିଟର କିରୋସିନ ପାଇଁ ୫୪ ହଜାର ୭୫୪ ଟଙ୍କା ଟ୍ରାଫ୍ଟ ଦାଖଲ କରାଯାଇଥିଲା । ସେହି ଅନୁସାରେ ଲିଟର ପିଛା ୨୮ରୁ ୩୦ ଟଙ୍କା ମଧ୍ୟରେ ବିକ୍ରି କରାଯିବା କଥା । କିନ୍ତୁ ଲିଟର ପିଛା ୪୦ ଟଙ୍କାରେ ଖାଉଟିଙ୍କୁ ବିକ୍ରି କରାଯାଇଛି। ଅନ୍ୟପକ୍ଷେ ଏହି ପଞ୍ଚାୟତରେ ଦର ତାଲିକା ଲଗା ଯାଇ ନାହିଁ। ଯୋଗାଣ ବିଭାଗ ମଧ୍ୟ କେବେ ନିରୀକ୍ଷଣ କରୁ ନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି। ତେବେ ଏ ସମ୍ପର୍କରେ ସରପଞ୍ଚ ସୁଶୀଲା ଡନସନା ଓ ନାଏବ ସରପଞ୍ଚ କେଶବ କର୍ସେଲଙ୍କୁ ପଚାରିବାରୁ ସେମାନେ କହିଛନ୍ତି ଯେ, କିରୋସିନ ଲିଟର ପିଛା ୧୦ ଟଙ୍କା ଅଧିକ ନିଆଯାଇଛି। ବିଡିଓ କ୍ଷମାନିଧି ଭୋଇ ବି ମାନିଛନ୍ତି ଯେ, କିରୋସିନ ଲିଟର ୩୦ ଟଙ୍କାରେ ବିକ୍ରି କରିବା କଥା। ଏହା ଉପରେ ଅଭିଯୋଗ ହୋଇଥିବା ସେ ସୂଚନା ଦେଇଛନ୍ତି। ସେହିଭଳି ପଞ୍ଚାୟତ ଇଓ ମୌଜିଲାଲ ଡନସନାଙ୍କୁ ପଚାରିବାରୁ ତାଙ୍କ ନାଁରେ ଲାଇସନ୍ସ ଥିଲେ ମଧ୍ୟ ଯୋଗାଣ ବିଭାଗ ଆବଣ୍ଟନ ଚିଠା ଦେଉ ନାହିଁ ବୋଲି କହିଛନ୍ତି।