କିରଣ କୁମାରଙ୍କ ତୃତୀୟ କରୋନା ରିପୋର୍ଟ ନେଗେଟିଭ୍‌

ମୁମ୍ବାଇ,୨୭।୫: ଅଭିନେତା କିରଣ କୁମାର ମେ ୧୪ରେ କରୋନା ପଜିଟିଭ୍‌ ଭାବେ ଚିହ୍ନଟ ହୋଇଥିଲେ। ଏହାପରେ ସେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିଲେ। ସୁରକ୍ଷା ଦୃଷ୍ଟିରୁ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଯାଞ୍ଚ କରାଯାଇ ହୋମ୍‌ ଆଇସୋଲେଶନ୍‌ରେ ରଖାଯାଇଥିଲା। ତେବେ କିଛି ଦିନର ଚିକିତ୍ସା ପରେ ଏବେ କିରଣଙ୍କ ତୃତୀୟ ରିପୋର୍ଟରେ କରୋନା ନେଗେଟିଭ୍‌ ଆସିଥିବା ଜଣାପଡ଼ିଛି। ରିପୋର୍ଟ ଆସିବା ପରେ କିରଣ ଡାକ୍ତର, ପରିବାର ଓ ସମ୍ପର୍କୀୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ସେ କହିଛନ୍ତି, ଡାକ୍ତର ଓ ମେଡିକାଲ ଷ୍ଟାଫ୍‌ ହେଉଛନ୍ତି ରିଅଲ ହିରୋ। କେବଳ ପ୍ରଶଂସା ତାଙ୍କ ସେବାକୁ ନ୍ୟାୟ ଦେଇପାରିବ ନାହିଁ। ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ରୁଟିନ ମେଡିକାଲ ଚେକଅପ୍‌ ପାଇଁ ସେ ହସ୍ପିଟାଲ ଯାଇଥିଲେ। କିରଣଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ନ ଥିବା ବେଳେ ସରକାରଙ୍କ ଗାଇଡ୍‌ଲାଇନ ଅନୁସାରେ ତାଙ୍କର କରୋନା ଯାଞ୍ଚ କରାଯାଇଥିଲା। ପରେ ରିପୋର୍ଟରେ ତାଙ୍କର କରୋନା ପଜିଟିଭ୍‌ ବାହାରିଥିଲା।

Share