କିମ୍‌ ଜୋଙ୍ଗ ଉନ୍‌ ଏବେ କେଉଁଠି: ଉତ୍ତରକୋରିଆର ୬ ନେତା ମଧ୍ୟ ଏଭଳି ହୋଇଥିଲେ ନିଖୋଜ

ଓ୍ବାଶିଂଟନ/ସିଓଲ,୨୯।୪: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କୁ ନେଇ ଏବେ ବେଶ୍‌ ଚର୍ଚ୍ଚା ଜାରି ରହିଛି। ଏଭଳି ପ୍ରଥମ ଥର ନୁହେଁ ଯେ, ଉତ୍ତର କୋରିଆର କୌଣସି ନେତାଙ୍କୁ ନେଇ ଏଭଳି ଆକଳନ ଜାରି ରହିଛି। ଏପ୍ରିଲ୍‌ ୧୧ରେ ତାଙ୍କୁ ଶେଷଥର ପାଇଁ ଦେଖିବାକୁ ମିଳିଥିଲା। ଏପ୍ରିଲ୍‌ ୧୫ରେ ବୁଢ଼ାବାପାଙ୍କ ଜନ୍ମ ଦିନ ଉତ୍ସବରେ କିମ୍‌ଙ୍କୁ ଦେଖିବାକୁ ମିଳି ନ ଥିଲା। ଏହାପରେ ତାଙ୍କୁ ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏହା ପୂର୍ବରୁ ଉତ୍ତରକୋରିଆର ୫ ନେତା ମଧ୍ୟ ନିଖୋଜ ହୋଇଯାଇଛନ୍ତି। କିମ୍‌ ଇଲ୍‌ ସୁଙ୍ଗ୍‌ଙ୍କ ମୃତ୍ୟୁକୁ ନେଇ ବହୁ ଚର୍ଚ୍ଚା ଜାରି ରହିଥିଲା। ତେବେ ଶେଷରେ ତାଙ୍କର ମୃତ୍ୟୁ ୧୯୯୪ରେ ଅଚାନକ ହୋଇଥିଲା। ସେହିପରି ଝୋନ୍‌ ସୋଙ୍ଗ୍‌ ବୋଲ୍‌ ଉତ୍ତର କୋରିଆର ଶକ୍ତିଶାଳୀ ମହିଳା ନେତା। ୨୦୧୩ରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଗୁଜବ ଉଠିଥିଲା। ତେବେ ପରେ ସେ ୨୦୧୪ରେ ପୁଣିଥରେ ଲୋକଙ୍କ ସମ୍ମୁଖରେ ଉପସ୍ଥିତ ହୋଇଥିଲେ। ସେ ଏତେ ଦିନ କିଭଳି ନିଖୋଜ ହୋଇଥିଲେ ସେ ନେଇ ବେଶ୍‌ ଆଲୋଚନା ହୋଇଥିଲା। ପରେ ତାଙ୍କୁ କିମ୍‌ ଜୋଙ୍ଗ ଉନ୍‌ଙ୍କ ସହିତ ବହୁ ସରକାରୀ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା। ସେହିପରି କିମ୍‌ ଜୋଙ୍ଗ ଉନ୍‌ଙ୍କ ପିତା କିମ୍‌ ଜୋଙ୍ଗ୍‌ ଇଲ୍‌ଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ପ୍ରଚାରିତ ହୋଇଥିଲା। ସେହିପରି କିମ୍‌ ଜୋଙ୍ଗ-୨ଙ୍କ ମୃତ୍ୟୁ ନେଇ ଚର୍ଚ୍ଚା ହୋଇଥିଲା। ପରେ ୨୦୧୧ ଡିସେମ୍ବରରେ ତାଙ୍କ ମୃତ୍ୟୁ ନେଇ ଘୋଷଣା କରାଯାଇଥିଲା। କିମ୍‌ କ୍ୱୋଙ୍ଗ୍‌ ହୁଇଙ୍କୁ ୨୦୧୫ରେ ହତ୍ୟା କରାଯାଇଥିବା ଖବର ମିଳିଥିଲା। କିନ୍ତୁ ଏହାର କିଛି ଦିନ ପରେ ତାଙ୍କୁ ଏକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା। ସେହିପରି ସୈନ୍ୟ ବାହିନୀ ମୁଖ୍ୟ ରି ୟୋଙ୍ଗ୍‌ ଗିଲ୍‌ଙ୍କୁ ୨୦୧୬ରେ ହତ୍ୟା କରାଯାଇଥିବା ଖବର ପ୍ରଚାର ହୋଇଥିଲା। ଏହାପରେ ଉତ୍ତରକୋରିଆ ପକ୍ଷରୁ ସେ ଜୀବିତ ଥିବା କୁହାଯାଇଥିଲା।

Share