କାହିଁ ସେଦିନର ଲୁହ

ଡ. ଛାୟାକାନ୍ତ ଷଡ଼ଙ୍ଗୀ
ଓଡ଼ିଶାରେ ଫନୀର ତାଣ୍ଡବ ପରେ ହଜାର ହଜାର ଲୋକ ବାସହରା ହୋଇଛନ୍ତି। ଖାଇବାକୁ ପାଉନାହାନ୍ତି। ଜୀବିକା ହରାଇଛନ୍ତି। ଅବଶ୍ୟ ସରକାର ଯଥାସାଧ୍ୟ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଏନଡିଆର୍‌ଏଫ୍‌, ଓଡ୍ରାଫ୍‌, ଅଗ୍ନିଶମ ବିଭାଗ, ପୋଲିସ ବାହିନୀ ଇତ୍ୟାଦି ଜନଜୀବନର ପୂର୍ବସ୍ଥିତି ଫେରାଇ ଆଣିବା ପାଇଁ ଅକ୍ଳାନ୍ତ ଉଦ୍ୟମ କରିଛନ୍ତି। ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଆଦି ରାଜ୍ୟରୁ ବହୁ କୁଶଳୀ କର୍ମଚାରୀ ଓଡ଼ିଶାକୁ ଆସି ଦିନରାତି ପରିଶ୍ରମ କରିଛନ୍ତି। ମାତ୍ର ସମସ୍ତଙ୍କ ମନରେ ଥିଲା ଗୋଟିଏ ପ୍ରଶ୍ନ। ଯେଉଁମାନେ ନିର୍ବାଚନ ପୂର୍ବରୁ ଭୋଟ ମାଗିବା ପାଇଁ ଘର ଘର ବୁଲୁଥିଲେ ଏହି ଦୁର୍ଦ୍ଦିନ ସମୟରେ ସେମାନେ କାହାନ୍ତି? ଯେଉଁମାନେ ଦୀନଦୁଃଖୀ ଓ ଦରିଦ୍ରମାନଙ୍କ ପାଇଁ କାନ୍ଦୁଛନ୍ତି ବୋଲି କହିଥିଲେ ଆଜି ସେମାନଙ୍କ ଲୁହ କାହିଁ? ଆଜି ମନେପଡନ୍ତି ସେମାନେ ଯେଉଁମାନେ ମଣିଷର ଦୁର୍ଦ୍ଦିନ ସମୟରେ ଅଶ୍ରୁପାତ କରିବାର ଅଭିନୟ କରୁ ନ ଥିଲେ, ବରଂ ମଣିଷର ଦୁର୍ଦ୍ଦଶା ଦେଖି ଯନ୍ତ୍ରଣାରେ ଛଟପଟ ହେଉଥିଲେ ଓ ସମସ୍ତଙ୍କ ଅନ୍ତରାଳରେ ଅଶ୍ରୁପାତ କରୁଥିଲେ।
ଗୋପବନ୍ଧୁଙ୍କ ଜୀବନର କଥା। ସେତେବେଳେ ଚାରିଆଡେ ବନ୍ୟା। ଅର୍ଦ୍ଧରାତ୍ର ସମୟ। ଭୀଷଣ ବର୍ଷା ହେଉଥାଏ। ପଣ୍ଡିତ ନୀଳକଣ୍ଠ, ପଣ୍ଡିତ ଗୋଦାବରୀଶ ହଠାତ୍‌ କାହାର ବିକଳ କ୍ରନ୍ଦନ ଶୁଣିଲେ। ଆଲୁଅ ଜାଳି ଦେଖିଲେ ଗୋପବନ୍ଧୁ ପିଲାଙ୍କ ଭଳି ଭୋ ଭୋ କାନ୍ଦୁଛନ୍ତି। ପଣ୍ଡିତ ଗୋଦାବରୀଶ ପଚାରିଲେ, ”କ’ଣ ହେଲା, କାନ୍ଦୁଛନ୍ତି କାହିଁକି?“ ଗୋପବନ୍ଧୁ କାନ୍ଦି କାନ୍ଦି କହିଲେ, ”ଆଜି ବନ୍ୟାଞ୍ଚଳକୁ ଯାଇଥିଲି। ଲୋକଙ୍କ ଦୁଃଖ କହିଲେ ନ ସରେ। ଘରେ କାହାରି ଚାଳ ନାହିଁ। ବର୍ଷାରେ ସେମାନେ କେତେ କଷ୍ଟ ନ ଭୋଗିବେ? ”ଦୀନଦୁଃଖୀଙ୍କ ସେବା, ବନ୍ୟାବାତ୍ୟା-ପ୍ରପୀଡିତ ଲୋକଙ୍କ ଦୁଃଖଦୈନ୍ୟ ଦୂରକରିବା ପାଇଁ ତାଙ୍କର ସମଗ୍ର ଜୀବନ କଟିଥିଲା। ବନ୍ୟାପ୍ରପୀଡିତ ଲୋକଙ୍କ ସେବା ପାଇଁ ସେ ନିଜ ପୁଅକୁ ମୃତ୍ୟୁଶଯ୍ୟାରେ ଛାଡି ଚାଲିଯାଇଥିଲେ। ପ୍ରଳୟଙ୍କରୀ ବାତ୍ୟାରେ ଘର ହରାଇଥିବା ଲୋକଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ଖଣ୍ଡେ ଘର ଦେବା, ଭୋକ ଉପାସରେ ଶଢୁଥିବା ନିରନ୍ନ ଜନତାର ମୁଖରେ ଗଣ୍ଡାଏ ଅନ୍ନ ଦେବା ପାଇଁ ଗୋପବନ୍ଧୁ ସର୍ବଦା ଚିନ୍ତିତ ଥିଲେ। ୧୯୨୦ ମାର୍ଚ୍ଚରେ ସେ ବିହାର-ଓଡ଼ିଶା ବ୍ୟବସ୍ଥାପକ ସଭାର ପ୍ରତିନିଧି ଭାବରେ ଓଡ଼ିଶାର ବନ୍ୟା ଓ ମରୁଡି ଚିତ୍ରକୁ ଯେଭଳି ଯଥାର୍ଥ ଭାବରେ ଭାବବିହ୍ବଳ ହୋଇ ଉପସ୍ଥାପନ କରିଥିଲେ ତାହା ସମସ୍ତଙ୍କୁ ଚକିତ କରିଦେଇଥିଲା। ସେ କହିଥିଲେ, ”ଏ ଦେଶରେ ଯଦି କୌଣସି ଲୋକ ଉପବାସରେ ମୃତ୍ୟୁବରଣ କରେ ତେବେ ତା’ର ନିଃଶ୍ୱାସ ସରକାରଙ୍କ ଉପରେ ପଡିବ। ସରକାର ଦୁଃଖୀଦରିଦ୍ର ଜନତାର ମୁହଁରେ ଅନ୍ନ ଦିଅନ୍ତୁ। ଏତିକି କହୁ କହୁ ଗୋପବନ୍ଧୁ ବ୍ୟବସ୍ଥାପକ ସଭାରେ ଭୋଭୋ ହୋଇ କାନ୍ଦିଉଠିଲେ। ଏହି ଘଟଣାରେ ଲାଟ୍‌ ସାହେବଙ୍କ ହୃଦୟ ତରଳିଯାଇଥିଲା ଓ ସେ ନିଜେ ବନ୍ୟାଞ୍ଚଳକୁ ଆସି ଲୋକଙ୍କ ଅବସ୍ଥା ସ୍ବଚକ୍ଷୁରେ ଦେଖିଥିଲେ ଓ ସାହାଯ୍ୟ ଯୋଗାଇ ଦେଇଥିଲେ।
ସ୍ବାମୀ ବିବେକାନନ୍ଦଙ୍କ ଜୀବନର କଥା। ସେ ଆମେରିକାରୁ ଫେରି ବେଲୁଡ ମଠରେ ଗୋଟିଏ କୋଠରିରେ ରହୁଥାନ୍ତି। ତାଙ୍କ ପାଖ କୋଠରିରେ ରହୁଥାନ୍ତି ସ୍ବାମୀ ବିଜ୍ଞାନାନନ୍ଦ। ରାତି ଅଧରେ ବିଜ୍ଞାନାନନ୍ଦ ଶୁଣିଲେ ଏକ ଚାପା କାନ୍ଦଣାର ସ୍ବର। ବାହାରକୁ ଆସି ଝରକାବାଟେ ଦେଖିଲେ ବିବେକାନନ୍ଦ ତାଙ୍କ କୋଠରି ଭିତରେ ଚଟାଣ ଉପରେ ମୁହଁ ତଳକୁ କରି କଇଁକଇଁ ହୋଇ କାନ୍ଦୁଛନ୍ତି। ବିଜ୍ଞାନାନନ୍ଦ ତାଙ୍କ କାନ୍ଦିବାର କାରଣ ପଚାରନ୍ତେ ସେ କହିଲେ, ଐଶ୍ୱର୍ଯ୍ୟଶାଳୀ ଆମେରିକାକୁ ଦେଖିବା ପରେ ଭାରତରେ ଦୁଃଖକଷ୍ଟପୀଡ଼ିତ, କ୍ଷୁଧାର୍ତ୍ତ ଓ ରୁଗ୍‌ଣ ଜନସାଧାରଣଙ୍କ କଥା ଭାବିବା ବେଳକୁ ମୁଁ ନ କାନ୍ଦି ରହି ପାରୁନାହିଁ। ଆଉ ଦିନକର ଘଟଣା ବିବେକାନନ୍ଦ ଆଶ୍ରମରେ ଋଗ୍‌ବେଦର ଅଧ୍ୟାପନା କାର୍ଯ୍ୟ କରୁଥାନ୍ତି। ପାଖରେ ବସିଥାନ୍ତି ତାଙ୍କର ଶିଷ୍ୟ ଶରତ୍‌ଚନ୍ଦ୍ର ଚକ୍ରବର୍ତ୍ତୀ। ଏହି ସମୟରେ ନାଟ୍ୟ ସମ୍ରାଟ୍‌ ଗିରୀଶଚନ୍ଦ୍ର ଘୋଷ ସେଠାରେ ପହଞ୍ଚିଲେ। ସ୍ବାମିଜୀ ବ୍ରହ୍ମଜ୍ଞାନ ସମ୍ପର୍କରେ ବୁଝାଉଥାନ୍ତି। କୌତୁକ ଛଳରେ ଗିରୀଶ ବାବୁ ବିବେକାନନ୍ଦଙ୍କୁ ପଚାରିଲେ, ”ଆଚ୍ଛା ନରେନ୍‌! ବେଦବେଦାନ୍ତ ତ ଅନେକ ପଢିଛ। କ୍ଷୁଧିତର ଅନ୍ନ ପାଇଁ ହାହାକାର, ଦରିଦ୍ରର ଦୁଃଖ, ଅନ୍ୟାୟ ଓ ଅତ୍ୟାଚାର- ଯାହା ଆମେ ସଚରାଚର ଦେଖିବାକୁ ପାଉ- ତା’ର କୌଣସି ପ୍ରତିବିଧାନ ତୁମ ବେଦବେଦାନ୍ତ ଲେଖିଛି କି? ଜଣେ ଗୃହିଣୀ, ଯିଏ ପ୍ରତ୍ୟହ ପଚାଶଜଣ ଲୋକଙ୍କୁ ଅନ୍ନ ବିତରଣ କରୁଥିଲେ ଆଜି ତିନିଦିନ ହେଲା ଅନ୍ନାଭାବ ହେତୁ ପୁତ୍ରକନ୍ୟା ସହ ଅନାହାରରେ ଅଛନ୍ତି। କେହି କେହି ମହିଳା ଲାଞ୍ଛିତା ଓ ଉତ୍ପୀଡିତା ହୋଇ ପ୍ରାଣତ୍ୟାଗ କରୁଛନ୍ତି। ନରେନ୍‌, ବେଦବେଦାନ୍ତରୁ ଏହାର କିଛି ପ୍ରତିକାର ପାଇଛ? ଗିରୀଶବାବୁଙ୍କ ଏହି କଥା ଶୁଣି ବିବେକାନନ୍ଦଙ୍କ ଚକ୍ଷୁଦ୍ୱୟ ଅଶ୍ରୁସିକ୍ତ ହୋଇଗଲା। ଭାବାବେଗକୁ ଦମନ କରି ନ ପାରି ସେ ବିଚଳିତ-ହୃଦୟରେ ତତ୍‌କ୍ଷଣାତ୍‌ ସେ ସ୍ଥାନ ପରିତ୍ୟାଗ କରି ଅନ୍ୟ କକ୍ଷକୁ ଚାଲିଗଲେ।
ସ୍ବାମିଜୀ ପ୍ରସ୍ଥାନ କରିବା ପରେ ଗିରୀଶ ବାବୁ ଶିଷ୍ୟମାନଙ୍କୁ କହିଲେ- ଦେଖିଲ! ତୁମ ଗୁରୁଙ୍କ ହୃଦୟ କିପରି ଅନୁକମ୍ପାପୂର୍ଣ୍ଣ। ମଣିଷର ଦୁଃଖ କଷ୍ଟ ଶୁଣିବା ପରେ ବେଦବେଦାନ୍ତର ଯେଉଁ ବ୍ୟାଖ୍ୟା ହେଉଥିଲା ସେସବୁ କୁଆଡେ ଅନ୍ତର୍ହିତ ହୋଇଗଲା। କିଛି ସମୟ ପରେ ବିବେକାନନ୍ଦ ଫେରି ଆସିଲେ। ସ୍ବାମୀ ସଦାନନ୍ଦଙ୍କୁ କହିଲେ, ତୁମେ ରୁଗ୍ଣ ଓ ଆର୍ତ୍ତର ସେବା ପାଇଁ ଗୋଟିଏ ସେବାଶ୍ରମ ପ୍ରତିଷ୍ଠା କର। ସଦାନନ୍ଦ ଗୁରୁ-ଆଜ୍ଞା ପାଳନ କରିବେ ବୋଲି ପ୍ରତିଶ୍ରୁତି ଦେଲେ। ସ୍ବାମିଜୀ ଗିରୀଶବାବୁଙ୍କୁ କହିଲେ- ଦେଖ ଜଗତର ଦୁଃଖକଷ୍ଟ ଦୂର କରିବା ପାଇଁ ମୁଁ ସହସ୍ରବାର ଜନ୍ମଗ୍ରହଣ କରିବାକୁ ପ୍ରସ୍ତୁତ ଅଛି। ନିଜ ମୁକ୍ତି ମୁଁ ଚାହେଁନାହିଁ। ମୁଁ ପ୍ରତ୍ୟେକଙ୍କୁ ମୁକ୍ତ ହେବା ପାଇଁ ସାହାଯ୍ୟ କରିବାକୁ ଚାହେଁ।
ଆଜି କାହିଁ ସେହି ଲୁହ? ଯେତେବେଳେ ଲୋକେ ବାତ୍ୟା ବା ବନ୍ୟାପ୍ରପୀଡିତ ହେଉଛନ୍ତି କିଛି ଲୋକଙ୍କ ପାଇଁ ତାହା ସୁଯୋଗ ପାଲଟି ଯାଉଛି। ବ୍ୟବସାୟୀମାନେ ଅତ୍ୟାବଶ୍ୟକ ଜିନିଷଗୁଡିକର ମୂଲ୍ୟବୃଦ୍ଧି କରି ବେଶ୍‌ ଦି ପଇସା ଅଧିକ ରୋଜଗାର କରୁଛନ୍ତି। ଅତୀତରେ ଓଡ଼ିଶାରେ ରିଲିଫ ସାମଗ୍ରୀ ଲୁଟ୍‌ ହୋଇଥିବାର ଖବର ମଧ୍ୟ ପ୍ରକାଶିତ ହୋଇଛି। ଲୋକଙ୍କ ଦୁର୍ଦ୍ଦିନ ସମୟରେ ମନେପଡନ୍ତି ବିବେକାନନ୍ଦ ଓ ଗୋପବନ୍ଧୁ। ସେମାନେ କେବେ କାନ୍ଦିବାର ଅଭିନୟ କରିନାହାନ୍ତି। ଯନ୍ତ୍ରଣାରେ ଦଗ୍ଧୀଭୂତ ହୋଇ ସତରେ ଲୁହ ଗଡାଇଛନ୍ତି। ଅବଶ୍ୟ ଆଜିର ତଥାକଥିତ ଆତ୍ମଘୋଷିତ ଜନସେବକମାନେ ବର୍ଷକୁ ଥରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଫୁଲମାଳ ପିନ୍ଧାଇ ଦିଅନ୍ତି। ଅଥଚ ବନ୍ୟା, ବାତ୍ୟା, ଦୁର୍ବିପାକ ସେମାନଙ୍କ ସମୃଦ୍ଧି ପାଇଁ ଏକ ସୁବର୍ଣ୍ଣ ସୁଯୋଗ ପାଲଟିଯାଏ।
ଦିନେ ନିରୋ ମଧ୍ୟ ଲୋକଙ୍କ ଦୁର୍ଦ୍ଦଶା କଥା ଭାବି କାନ୍ଦିବାର ପ୍ରେରଣା ଅନୁଭବ କରିଥିଲେ। କାନ୍ଦ କାନ୍ଦ ଅବସ୍ଥାରେ ଜଣେ କର୍ମଚାରୀଙ୍କୁ କହିଥିଲେ, ଛିଡା ହୋଇ ଦେଖୁଛ କ’ଣ? ମୋ ଲୁହ ତଳେ ପଡି ନଷ୍ଟ ହେବା ପୂର୍ବରୁ ଧରି ରଖ। କେହି ଜଣେ ଦୌଡିଯାଇ ସୁନାର ପାତ୍ର ନେଇ ଆସିଲା। ଲେଖକ କହିଛନ୍ତି ସେ ଯୁଗରେ ଫଟୋଗ୍ରାଫର ଥିଲେ ନିରୋ ଅବଶ୍ୟ ସେମାନଙ୍କୁ କ୍ୟାମେରା ସଜଡାସଜଡି କରିବାର ସୁଯୋଗ ଦେଇ ଅଶ୍ରୁପାତ କରିଥାନ୍ତେ। ସୁନାପାତ୍ର ଆସିବା ବେଳକୁ ଲୁହ ତଥାପି ଉଦ୍‌ଗତ ଅବସ୍ଥାରେ ରହିଥିଲା କି ଶୁଖିଯାଇଥିଲା ଜଣାନାହିଁ। ନିରୋଙ୍କ ସମ୍ପର୍କିତ ଏହି କାହାଣୀ ଅତିରଞ୍ଜିତ ହୋଇପାରେ, କିନ୍ତୁ ଆଜି ଦେଶପ୍ରାଣତା ଦୃଷ୍ଟିରୁ ଅଶ୍ରୁପାତ ଅଥବା ତଦନୁରୂପ କାର୍ଯ୍ୟାନୁଷ୍ଠାନ କରୁଥିବା ବହୁ ବ୍ୟକ୍ତି ଯେ କିମ୍ବଦନ୍ତୀର ନିରୋଙ୍କ ପର୍ଯ୍ୟାୟରେ ପଡିବେ, ଏକଥା କହିଲେ ଅତିରଞ୍ଜନର ସମ୍ଭାବନା ନାହିଁ।
ମୋ- ୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri