କାଳବୈଶାଖୀରେ ଘର ଭାଙ୍ଗିଲା

ବରଗଡ଼ ଅଫିସ,୬ା୫: ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ମଙ୍ଗଳବାର ରାତିରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ହୋଇଥିଲା । ଏଥିରେ ଜିଲାର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବରଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡହଥା ପଞ୍ଚାୟତର ତିହାଡ଼ିଟିକ୍ରାରେ ବହୁଘରର ଛାତ ଉଡ଼ିଯାଇଛି। ଚାଳଘର ସାଙ୍ଗକୁ ଉଭୟ ଆଜବେଷ୍ଟସ୍‌, ଖପର ଛାତ ଏଥିରେ ପ୍ରଭାବିତ ହୋଇଛି। ଏଠାରେ ଗ୍ରାମର ଗଣନାଥ ପ୍ରଧାନ, ପ୍ରେମ ପ୍ରଧାନ, ଦେବାନନ୍ଦ ତ୍ରିପାଠୀ ପ୍ରମୁଖଙ୍କ ଘର କ୍ଷତିଗ୍ରସ୍ତ ହୋଇଛି। ସେହିପରି ଗାଇସୀମା, ତାଲପାଲି, ଅଡ଼ଗାଁ ଆଦି ଗ୍ରାମରେ କାଳବୈଶାଖୀରେ ଲୋକେ ଏଭଳି ପ୍ରଭାବିତ ହୋଇଛନ୍ତି। ଏହା ସହିତ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ପଡ଼ିଥିବାବେଳେ ବିଦ୍ୟୁତ ସରବରାହ ବ୍ୟାହତ ହୋଇପଡ଼ିଛି । ବୁଧବାର ସକାଳୁ ଲୋକେ ଘରଛାତ ସଜାଡ଼ିବାରେ ଲାଗିଥିବାବେଳେ କ୍ଷତିଗ୍ରସ୍ତ ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।