Categories: ଜାତୀୟ

‘କାର୍‌ଗିଲ ବିଜୟ ଭାରତର ଶକ୍ତିର ପ୍ରତୀକ’

ନୂଆଦିଲ୍ଲୀ,୨୮ା୭(ପି.ଟି.): କାର୍‌ଗିଲ ଯୁଦ୍ଧ ବିଜୟ ଭାରତର ଶକ୍ତି, ପ୍ରତିବଦ୍ଧତା ଓ ସାମର୍ଥ୍ୟର ପ୍ରତୀକ ଥିଲା। ଏହାର ସଶସ୍ତ୍ର ବାହିନୀର ତ୍ୟାଗ ଏହାକୁ ଦୁର୍ଜେୟ କରି ରଖିଛି ବୋଲି କାର୍‌ଗିଲ ବିଜୟର ୨୦ ବର୍ଷ ପୂର୍ତ୍ତି ଉତ୍ସବରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଇଛନ୍ତି। ସେ କହିଥିଲେ, ଆତଙ୍କବାଦର ପ୍ରସାର ପାଇଁ କେତେକ ଦେଶ ଛାୟା ଯୁଦ୍ଧର ସହାୟତା ନେଉଛନ୍ତି। ଆତଙ୍କବାଦ ବିରୋଧରେ ଲଢ଼େଇ ଲାଗି ସାରା ବିଶ୍ୱ ପକ୍ଷରୁ ମିଳିତ ଉଦ୍ୟମର ସମୟ ଆସିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଇନ୍ଦିରା ଗାନ୍ଧୀ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଏହି ଉତ୍ସବରେ ବହୁସଂଖ୍ୟାରେ ସେନା ଅଧିକାରୀ, ଯବାନ ଓ ଅବସରପ୍ରାପ୍ତ ସାମରିକ କର୍ମଚାରୀ ଉପସ୍ଥିତ ଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ, ଯୁଦ୍ଧ ସରକାର ଲଢ଼ନ୍ତି ନାହିଁ, ସମଗ୍ର ଦେଶ ଲଢ଼ିଥାଏ। କାର୍‌ଗିଲ ବିଜୟ ଏବେ ବି ସାରା ଦେଶକୁ ଅନୁପ୍ରାଣିତ କରୁଛି। ଏହି ବିଜୟ ପ୍ରତ୍ୟେକ ଭାରତୀୟଙ୍କର ଥିଲା। ୧୯୯୯ରେ କାର୍‌ଗିଲ ଦୁର୍ଗତି ମାଧ୍ୟମରେ ପାକିସ୍ତାନ ସୀମା ପୁନଃନିର୍ଦ୍ଧାରଣ ଉଦ୍ୟମ କରିଥିଲା। ଏହାର କୁତ୍ସିତ ଉଦ୍ୟମକୁ ଭାରତୀୟ ସୁରକ୍ଷା ବଳ ପଣ୍ଡ କରିଦେଇଥିଲା। ଏହି ଯୁଦ୍ଧ ସମୟରେ ସେ କାର୍‌ଗିଲ ଯାଇଥିଲେ ଏବଂ ତାଙ୍କୁ ତୀର୍ଥଯାତ୍ରା କଲାଭଳି ଲାଗିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶର ସୁରକ୍ଷା ଦୁର୍ଭେଦ୍ୟ ଏବଂ ଏହା ଦୁର୍ଭେଦ୍ୟ ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

Share