କାର୍ଯ୍ୟବ୍ୟସ୍ତତା ଯୋଗୁଁ କାର୍ଯ୍ୟାଳୟରେ ଆଇଏଏସ୍‌ ଅଫିସର ବିବାହ କଲେ ଆଇପିଏସ୍‌ଙ୍କୁ

କୋଲକାତା,୧୭।୨: ବିବାହକୁ ସ୍ମୃତି କରିବା ପାଇଁ ଯୁବକ ଯୁବତୀ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି। ଏହାକୁ ଗ୍ରାଣ୍ଡଓ୍ବେରେ ସେଲିବ୍ରେଟ କରିବା ପାଇଁ ବହୁ ଦିନରୁ ଆୟୋଜନ କରାଯାଇଥାଏ। ହେଲେ ନିକଟରେ ଜଣେ ଦମ୍ପତ୍ତି କାର୍ଯ୍ୟବ୍ୟସ୍ତତା ଓ ସମୟ ଅଭାବରୁ ନିଜ କାର୍ଯ୍ୟାଳୟରେ ବିବାହ କରିଥିବା ଦେଖିବାକୁ ମିଳିଛି। ଏହି ଦୃଶ୍ୟ ହେଉଛି ପଶ୍ଚିମବଙ୍ଗର। ସୂଚନାଯୋଗ୍ୟ, ୨୦୧୫ ବ୍ୟାଚର ଆଇଏଏସ୍‌ ଅଫିସର ତୁଷାର ସିଙ୍ଗ୍‌ଲା ପଶ୍ଚିମବଙ୍ଗରେ ଉଲୁବେରିଆରେ ଏସ୍‌ଡିଓ ଭାବେ କାର୍ଯ୍ୟରତ ଅଛନ୍ତି। ସେହିପରି ୨୦୧୭ ବ୍ୟାଚର ଆଇପିଏସ୍‌ ଅଫିସର ନବଜୋତ ସିମି ପାଟନାରେ କାର୍ଯ୍ୟରତ ଥିବା ଜଣାପଡ଼ିଛି। ତୁଷାର ଓ ନବଜୋତ ପଞ୍ଜାବର ବାସିନ୍ଦା ହୋଇଥିବା ବେଳେ ଗତ କିଛି ଦିନରୁ ଦୁହେଁ ରିଲେସନଶିପ୍‌ରେ ଥିଲେ। ଦୁହେଁ ବିବାହ କରିବାକୁ ଚାହଁୁଥିବା ବେଳେ କାର୍ଯ୍ୟବ୍ୟସ୍ତତା ଯୋଗୁ ସେମାନେ ପଞ୍ଜାବକୁ ଯାଇପାରୁ ନ ଥିଲେ। ଏଥିପାଇଁ ତାଙ୍କ ବିବାହ ବହୁ ଦିନ ହେଲା ବିଳମ୍ବ ହୋଇଯାଉଥିଲା। ଶେଷରେ ତୁଷାର ଓ ନବଜୋତ ବିବାହ କରିବା ପାଇଁ ନିଜ କାର୍ଯ୍ୟାଳୟକୁ ବାଛିଥିଲେ। ଏଥିପାଇଁ ନବଜୋତ ପାଟନାରୁ ପଶ୍ଚିମବଙ୍ଗ ଆସିଥିବା ବେଳେ ତୁଷାରଙ୍କ କାର୍ଯ୍ୟାଳୟରେ ସେମାନଙ୍କର ନିରାଡମ୍ବର ବିବାହ ଅନୁଷ୍ଠିତ ହୋଇଥିଲା। ତେବେ ସେମାନେ ଗ୍ରାଣ୍ଡଓ୍ବେରେ ନିଜ ସାଥୀ ଓ ସମ୍ପର୍କୀୟଙ୍କୁ ପାର୍ଟି ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ହେଲେ ଏହି ପାର୍ଟି ପାଇଁ ମଧ୍ୟ ସେମାନଙ୍କୁ ୨୦୨୧ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। କାରଣ ୨୦୨୧ରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ। ଏହାପରେ ହିଁ ପାର୍ଟିର ଆୟୋଜନ ହେବ ବୋଲି ତୁଷାର କହିଛନ୍ତି। ଏହି ଆଇଏଏସ୍‌ ଓ ଆଇପିଏସ୍‌ଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ସେମାନଙ୍କ ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Share