କାରଣ ଖୋଜୁଛି ପୋଲିସ

କେନ୍ଦୁଝର,୨୫ା୨(ସ୍ବ.ପ୍ର.): ନିକଟରେ ଖେଲୋ ଇଣ୍ଡିଆ ମହିଳା ଲିଗ୍‌ରେ ଭାଗ ନେଇ ଓଡ଼ିଶା ଟିମ୍‌କୁ ଗୌରବାନ୍ବିତ କରିଥିବା କେନ୍ଦୁଝର ଜିଲା ବାରିଆ ଥାନା ଅଧୀନ ନୟାଧନୁର୍ଯ୍ୟୟପୁର ଗ୍ରାମର ଜାତୀୟ ଖୋଖୋ ଖେଳାଳି ମନିକା ନାଏକ (୧୭)ଙ୍କ ଆତ୍ମହତ୍ୟା ଘଟଣାକୁ ନେଇ କ୍ରୀଡ଼ା ଜଗତରେ ହଇଚଇ ସୃଷ୍ଟି ହୋଇଛି। ଆତ୍ମହତ୍ୟାକୁ ନେଇ ପରିବାର ଲୋକଙ୍କ ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିଲେ ମଧ୍ୟ ପୋଲିସ ଘଟଣାର ଛାନ୍‌ଭିନ୍‌ ଚଳାଇଛି। ସେ ବ୍ୟବହାର କରୁଥିବା ମୋବାଇଲ୍‌ ଫୋନର କଲ ରେକର୍ଡ ସଂଗ୍ରହ କରି ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରିଣୀ ବନ୍ଦନା ପାତ୍ର କହିଛନ୍ତି ା
ମାସ ପ୍ରଥମ ସପ୍ତାହରେ ମଧ୍ୟପ୍ରଦେଶରେ ଖେଲୋ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇ ମନିକା ସଫଳତା ହାସଲ କରିିଥିଲେ। ୩ ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କାର ରାଶି ଗ୍ରହଣ କରି ଘରକୁ ଫେରିଥିଲେ। ଏଭଳି ସଫଳତା ନେଇ ବେଶ୍‌ ଖୁସିରେ ଥିବା ବେଳେ ତାଙ୍କ ମୃତ୍ୟୁ ଘଟଣା ସମସ୍ତଙ୍କୁ ଚକିତ କରିଛି। ୨୦୧୯ରୁ ୨୦୨୩ ମଧ୍ୟରେ ୬ରୁ ଉର୍ଦ୍ଧ୍ୱ ଥର ଜାତୀୟସ୍ତରରେ ଖେଳି ତିନୋଟି ସ୍ବର୍ଣ୍ଣ ଓ ଦୁଇଟି ରୌପ୍ୟ ପଦକ ପାଇଥିବା ମନିକା କେଉଁ କାରଣରୁ ଆତ୍ମହତ୍ୟା କଲେ ତାହାର ତଦନ୍ତ କରିବାକୁ ଦାବି ହେଉଛି। ତାଙ୍କ ମୃତ୍ୟୁ ଘଟଣାକୁ ନେଇ ତାଙ୍କ ସହିତ ଖେଳୁଥିବା କ୍ଷଣପ୍ରଭା ନାଏକ ଦୁଃଖ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ସେ ଓଡ଼ିିଶା ଦଳର କ୍ୟାପଟେନ ହୋଇଥାନ୍ତେ ବୋଲି ଅତ୍ୟନ୍ତ ଦୁଃଖର ସହିତ କହିଛନ୍ତି ତାଙ୍କ କୋଚ୍‌ ପ୍ରକାଶ ବେଜ। ଜିଲା କ୍ରୀଡ଼ା ଅଧିକାରୀ ଜିତେନ୍ଦ୍ର ମହାକୁଡ଼ କହିଛନ୍ତି ଯେ, ଜଣେ ପ୍ରତିଭାବାନ କ୍ରୀଡ଼ାବିତଙ୍କ ଦେହାନ୍ତ ଜିଲାପାଇଁ ବହୁତ କ୍ଷତି ହୋଇଛି।